centurian jitm

ମୁରିବାହାଲ ଡିଭାଇନ୍ କିଡ୍‌ସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

nschool
  • ଆଧୁନିକ ଓ ପରିବର୍ତ୍ତିତ ଶିକ୍ଷା ପଦ୍ଧତି ସମ୍ପର୍କରେ ମୁଖ୍ୟବକ୍ତାଙ୍କ ଗୁରୁତ୍ଵଆରୋପ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡିଭାଇନ୍ କିଡ୍‌ସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ସ୍କୁଲ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ଓ ସମସ୍ତ ଅତିଥିଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ ସ୍କୁଲ ନିର୍ଦ୍ଦେଶକ ନରେନ୍ଦ୍ର କୁମାର କରନ ସ୍କୁଲର ବାର୍ଷିକ ବିବରଣୀ ପଠନ କରିଥିଲେ । ପବ୍ଲିକ ସ୍କୁଲ ସଭାପତି ରାଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ତଥା ନିର୍ଦ୍ଦେଶକ ନରେନ୍ଦ୍ର କୁମାର କରନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ବକ୍ତା ରୂପେ ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ନୋଡ଼ାଲ ଅଧିକାରୀ କ୍ଷମାନିଧି ଝାଙ୍କର ଯୋଗଦେଇ ପୂର୍ବର ସରକାରୀ ବିଦ୍ୟାଳୟ ପାଠ୍ୟକ୍ରମ ତୁଳନାରେ ବର୍ତ୍ତମାନର ଆଧୁନିକ ଓ ପରିବର୍ତ୍ତିତ ଶିକ୍ଷା ପଦ୍ଧତିର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପାଠ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଖାପ ଖୁଆଇ ଚଳିବା ସମ୍ପର୍କରେ ଗୁରୁତ୍ଵଆରୋପ କରିଥିଲେ । ସମ୍ମାନିତ ଅତିଥି ରୂପେ ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ, ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପୀତାମ୍ବର ଵେଶ୍ରା, ମୁରିବାହାଲ ଡ଼ିଗ୍ରୀ କଲେଜର ବଶିଷ୍ଠ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ସମ୍ପାଦକ ଗିରିଧାରୀ ବନଛୋର, ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଓ ମୁରିବାହାଲ ସଦର ସିଆର୍‌ସିସି ହୃଷୀକେଶ ଶିକା ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ପବ୍ଲିକ ସ୍କୁଲ ପ୍ରତିଷ୍ଠାରେ ମୁଖ୍ୟ ଯୋଗଦାନ ଦେଇଥିବା ପୂର୍ବତନ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ନିମାଇଁ ଚରଣ ବଘାରଙ୍କ ପକ୍ଷରୁ ତାଙ୍କ ପୁଅ ଅଭିଳାଷ ବଘାର, ରାମକୃଷ୍ଣ ଆଡଯୁଆଡ, ଲକ୍ଷ୍ମୀଧର ବାଗ, ରଜନୀକାନ୍ତ ବନଛୋର, ଧର୍ମୁ ଗହୀର ଓ ନିର୍ଦ୍ଦେଶକ ନରେନ୍ଦ୍ର କରନଙ୍କୁ ଅତିଥିମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା, ନବୋଦୟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀମାନଙ୍କ ସଂଯୋଜନାରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସମ୍ପୁର୍ଣ୍ଣ ସହଯୋଗ କରିଥିବା ବେଳେ ସମସ୍ତ ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ । ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ନିଧି ଶର୍ମା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.