jayashree

ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବଲାଙ୍ଗିର ଏକ ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଅଧିକରୁ ଅଧିକ ଅନୁଦାନ ଆଣି ବିଭିନ୍ନ କ୍ଷେତ୍ରରେ ଉନ୍ନତି କରାଯିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷକରି ଚଳିତ ବର୍ଷ ଆବଶ୍ୟକତାଠାରୁ ଅଧିକ ବର୍ଷା ଯୋଗୁଁ ଜିଲ୍ଲାର ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଆଲୋଚନା ହୋଇଥିଲା । ଅତ୍ୟଧିକ ବର୍ଷା ଯୋଗୁଁ ଚାଷ ଓ ଚାଷୀଙ୍କ ଉପରେ ପଡ଼ୁଥିବା ପ୍ରଭାବର ଉପଯୁକ୍ତ ମୁକାବିଲା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କ ସମେତ ବିଭିନ୍ନ ଦଳର ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲାର ବିକାଶ ସହ ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଆଗାମୀ ଦିନରେ ଠୋସ୍ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.