jayashree

ପିଏମ୍ ଶ୍ରୀ କେଭି ନଂ-୧ ଭୁବନେଶ୍ୱରରେ ୧୫ ଦିନିଆ ଏଆଇ ଓ ଆନିମେସନ୍ ଗ୍ରୀଷ୍ମକାଳୀନ କର୍ମଶାଳା ସଫଳତାର ସହ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପିଏମ୍ ଶ୍ରୀ କେଭି ନଂ-୧ ଭୁବନେଶ୍ୱରରେ ପିଏମ୍ ଶ୍ରୀ ଯୋଜନା ଅଧୀନରେ ୪ ମଇରୁ ୧୮ ମଇ ୨୦୨୬ ପର୍ଯ୍ୟନ୍ତ ୧୫ ଦିନିଆ ଏଆଇ ଓ ଆନିମେସନ୍ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରୀଷ୍ମକାଳୀନ ଶିବିରରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ଭାରତ ସରକାରଙ୍କ ଏହି ନୂତନ ଶିକ୍ଷାମୂଳକ ପଦକ୍ଷେପରୁ ଲାଭାନ୍ୱିତ ହୋଇଥିଲେ । ଏହି କର୍ମଶାଳାକୁ ଏକ ତଥ୍ୟବହୁଳ, ସୃଜନଶୀଳ ଓ କୌଶଳଭିତ୍ତିକ କାର୍ଯ୍ୟକ୍ରମ ଭାବେ ପରିକଳ୍ପନା କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଆନିମେସନ୍, ଡିଜିଟାଲ୍ ଡିଜାଇନିଂ, ପ୍ରମ୍ପ୍ଟ ଇଞ୍ଜିନିୟରିଂ, ପୋଷ୍ଟର ପ୍ରସ୍ତୁତି, ଇ-ବୁକ୍ ପ୍ରକାଶନ ଓ ଭିଡିଓ ଏଡିଟିଂର ବ୍ୟବହାରିକ ଦିଗ ସମ୍ପର୍କରେ ପରିଚିତ କରାଯାଇଥିଲା । ସୃଜନଶୀଳତା ଓ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ପ୍ରାୟୋଗିକ ଜ୍ଞାନ, ଯୋଗାଯୋଗ କୌଶଳ ଓ ନୂତନ ଚିନ୍ତାଧାରାକୁ ବିକଶିତ କରିଥିଲା । କର୍ମଶାଳାର ପ୍ରଥମ ଦିନ ଛାତ୍ରଛାତ୍ରୀମାନେ ନିଜର ଆଶା ଓ ଶିକ୍ଷାଗତ ଲକ୍ଷ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଦ୍ୱିତୀୟ ଦିନ “ପୂର୍ବ ଜ୍ଞାନ ପରୀକ୍ଷା” ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ଏଆଇ ଓ ଡିଜିଟାଲ୍ ମିଡିଆ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଜ୍ଞାନକୁ ଆକଳନ କରାଯାଇଥିଲା । କୃତ୍ରିମ ବୁଦ୍ଧିମତ୍ତା, ମେସିନ୍ ଲର୍ଣ୍ଣିଂ, କ଼୍ୟୁଆରକୋଡ୍, ପ୍ରମ୍ପ୍ଟ, ଆନିମେସନ୍, ଇମେଜ୍ ରେଜଲୁସନ୍ ଓ ଚାଟଜିପିଟି ସମ୍ପର୍କିତ ପ୍ରଶ୍ନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା । ସକ୍ରିୟ ଅଂଶଗ୍ରହଣ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । କର୍ମଶାଳାର ଏକ ମୁଖ୍ୟ ଆକର୍ଷଣ ଥିଲା ଏଆଇ ପ୍ରମ୍ପ୍ଟିଂ ପ୍ରଣାଳୀ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ । ଛାତ୍ରଛାତ୍ରୀମାନେ RTF (Role–Task–Format) ପ୍ରମ୍ପ୍ଟିଂ ପ୍ରଣାଳୀ ଓ COSTAR ଫ୍ରେମୱାର୍କ — Context, Objective, Style, Tone, Audience ଓ Response — ସମ୍ପର୍କରେ ଶିଖିଥିଲେ । Zero-shot, One-shot ଓ Few-shot ପ୍ରମ୍ପ୍ଟିଂ ସମ୍ପର୍କିତ ସେସନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ OpenAI ChatGPT, Google Gemini ଓ Anthropic Claude ପରି ଆଧୁନିକ ଇଓ ପ୍ଲାଟଫର୍ମ ସହ ଅଧିକ କାର୍ୟ୍ୟକ୍ଷମ ଭାବେ ସଂଯୋଗ ସ୍ଥାପନ କରିବା ଶିଖିଥିଲେ । ଶିକ୍ଷାମୂଳକ ପୋଷ୍ଟର ଓ ଚାର୍ଟ ପ୍ରସ୍ତୁତି, ସହିତ ସାର୍ଟିଫିକେଟ୍ ଡିଜାଇନିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଛାତ୍ରଛାତ୍ରୀମାନେ ଲୋଗୋ, ଫଟୋଗ୍ରାଫ୍, କ଼୍ୟୁଆର କୋଡ୍, ସାର୍ଟିଫିକେଟ୍ ନମ୍ବର, ଦ୍ୱିଭାଷୀ ଟେକ୍ସଟ୍ ଓ ଡିଜିଟାଲ୍ ସହିତ ବୃତ୍ତିଗତ ମାନର ସ।ର୍ଟିଫିକେଟ୍ ପ୍ରସ୍ତୁତ କରିବା ଶିଖିଥିଲେ । ସେମାନେ ନିଜ ପ୍ରକଳ୍ପ କାର୍ୟ୍ୟ ସମ୍ବଳିତ Google Drive ଫୋଲ୍ଡର ସହ ସଂଯୁକ୍ତ ସ୍ଥାୟୀ କ଼୍ୟୁଆର କୋଡ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ବିଜ୍ଞାନ, ପରିବେଶ, ମହାକାଶ ଗବେଷଣା, କୃତ୍ରିମ ବୁଦ୍ଧିମତ୍ତା ଓ ସାଧାରଣ ସଚେତନତା ବିଷୟରେ ଛାତ୍ରଛାତ୍ରୀମାନେ ସୃଜନଶୀଳ ଚାର୍ଟ ଓ ପୋଷ୍ଟର ପ୍ରସ୍ତୁତ କରି ବିଦ୍ୟାଳୟର କରିଡୋର ଓ ଶ୍ରେଣୀକକ୍ଷରେ ପ୍ରଦର୍ଶନ କରିଥିଲେ । ସୃଜନଶୀଳତା ଓ ଦଳୀୟ କାର୍ଯ୍ୟଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟାଳୟ ପକ୍ଷରୁ ଶିକ୍ଷାମୂଳକ ଚାର୍ଟ ଡିଜାଇନିଂ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କର୍ମଶାଳାରେ ଇ-ବୁକ୍ ସୃଷ୍ଟି ଓ ପ୍ରକାଶନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପିଡିଏଡଫ୍‌କୁ ଇମେଜ୍ ରୂପାନ୍ତର, ଲେଆଉଟ୍ ଡିଜାଇନିଂ, ଇଣ୍ଡେକ୍ସ ପ୍ରସ୍ତୁତି ଓ ଫ୍ଲିପ୍‌ବୁକ୍ ସୃଷ୍ଟି ପ୍ରଣାଳୀ ସମ୍ପର୍କରେ ସେମାନେ ଶିଖିଥିଲେ । ସୃଜନାତ୍ମକ ଲେଖନ, କବିତା ରଚନା ଓ ଏଆଇ ସହାୟତା ପ୍ରାପ୍ତ ଶିକ୍ଷାମୂଳକ ବିଷୟବସ୍ତୁ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିଥିଲା । କର୍ମଶାଳାର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ Adobe Premiere Pro ବ୍ୟବହାର କରି ଭିଡିଓ ଏଡିଟିଂ ଓ ଆନିମେସନ୍‌ର ପ୍ରାୟୋଗିକ ପ୍ରଶିକ୍ଷଣ ନେଇଥିଲେ । ସେମାନେ ସଫ୍ଟୱେର ଇନ୍‌ଷ୍ଟଲେସନ୍, ୱ।ର୍କସ୍ପେସ୍ ମ୍ୟାନେଜମେଣ୍ଟ, ଟାଇମଲାଇନ୍ ଏଡିଟିଂ, ମିଡିଆ ଇମ୍ପୋର୍ଟ, ଗ୍ରୀନ୍ ସ୍କ୍ରିନ୍ ଏଡିଟିଂ, ଟ୍ରାନ୍ସିସନ୍, ସାଉଣ୍ଡ ଇଫେକ୍ଟ, ଟେକ୍ସଟ୍ ଆନିମେସନ୍ ଓ ଗ୍ରାଫିକ୍ସ ସଂଯୋଜନ ପ୍ରଣାଳୀ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ । କର୍ମଶାଳାର ସମାପନୀ ଅବସରରେ ପ୍ରକଳ୍ପ ମୂଲ୍ୟାଙ୍କନ, ଚାର୍ଟ ପ୍ରଦର୍ଶନୀ, ଗ୍ରୁପ୍ ଫଟୋ, ସାର୍ଟିଫିକେଟ୍ ବିତରଣ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଏପରି ଅର୍ଥପୂର୍ଣ୍ଣ ଓ ଭବିଷ୍ୟତମୁଖୀ କାର୍ଯ୍ୟକ୍ରମ ପାଇଁ ଶିକ୍ଷକମାନଙ୍କୁ ହୃଦୟଙ୍ଗମ କୃତଜ୍ଞତା ଜଣାଇଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଆଦିତ୍ୟ କୁମାର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଓ ସୃଜନଶୀଳ କାର୍ଯ୍ୟ ପାଇଁ ଦାୟିତ୍ୱବାନ ଭାବରେ ଏଆଇ ବ୍ୟବହାର କରିବାକୁ ପ୍ରେରିତ କରିଥିଲେ । ଭୂପେନ୍ଦ୍ର ସିଂହ ଏଆଇର ନୈତିକ ଓ ଦାୟିତ୍ୱଶୀଳ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କର୍ମଶାଳାକୁ ଡକ୍ଟର ରବିନ୍ଦ୍ର କୁମାର ଦୁବେ, ଶ୍ରୀମତୀ ରୀନା ପଣ୍ଡା, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ବିଶୋୟୀ, ମାନସ ରଞ୍ଜନ ସତପଥୀ ଓ ପ୍ରଫୁଲ୍ଲ କୁମାର ସାହୁ ସଫଳତାର ସହ ପରିଚାଳନା କରିଥିଲେ । ଅଭିଭାବକମାନେ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରି ଛାତ୍ରଛାତ୍ରୀମାନଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ସମସ୍ତ ଅଂଶଗ୍ରାହୀଙ୍କୁ ଜଳଖିଆ ପ୍ରଦାନ କରାଯାଇଥିଲା ଏବଂ ପୁରସ୍କାର ଓ ସାର୍ଟିଫିକେଟ୍ ପାଇ ଛାତ୍ରଛାତ୍ରୀମାନେ ବେଶ ଆନନ୍ଦିତ ହୋଇଥିଲେ । ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ରେ ଆୟୋଜିତ ଏହି ଏଆଇ ଓ ଆନିମେସନ୍ କର୍ମଶାଳା ଏକ ସ୍ମରଣୀୟ ଶିକ୍ଷାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି, ଯାହା ଯୁବ ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟାକୁ ସୃଜନଶୀଳ, ଦାୟିତ୍ୱବାନ ଓ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବାକୁ ପ୍ରେରିତ କରିଛି ।

Leave A Reply

Your email address will not be published.