ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ହଲ୍‌ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା ହେଉଛି ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ ନିଜର ଦାୟିତ୍ଵ, କର୍ତ୍ତବ୍ୟ ଓ ଅଧିକାର ପ୍ରତି ସଚେତନ ହେଲେ ଦୁର୍ନୀତିକୁ ରୋକାଯାଇ ପାରିବ ଏବଂ ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରୁ ଦୁର୍ନୀତି ରୋକିବାକୁ ହେଲେ ବ୍ୟାପକ ଜନ ସଚେତନତା ସହ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଡ଼ିଏସପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ହୋଇଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ପ୍ରଥମେ ବ୍ଲକ ଓ ମ୍ୟୁନିସିପାଲିଟି ତଥା ଏନଏସି ସ୍ତରରେ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆଜି ଅନୁଷ୍ଠିତ ସଚେତନତା ସଭାରେ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସଭା ସଂଯୋଜନା କରିଥିଲେ । ପତିତପାବନ ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ନାଗରିକ କମିଟି, ବରିଷ୍ଠ ନାଗରିକ ଫୋରମର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସରକାରୀ ଅଧିକାରୀଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 − 13 =