ସୁବର୍ଣ୍ଣପୁରରେ କୃଷକ ମେଳା-୨୦୨୦ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ କୃଷକ ମେଳା-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆୟୋଜନରେ ଅନୁଷ୍ଠିତ ରବି କୃଷକ ମେଳା ସହ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ରରେ ରବି ଋତୁ ପାଇଁ ସ୍ବତନ୍ତ୍ର କୃଷି ଖସଡା ପ୍ରସ୍ତୁତ ସହ ଅଧିକରୁ ଅଧିକ ଅର୍ଥକାରୀ ଚାଷ ଉପରେ ଗୁରୁତ୍ବ ଦିଆଯାଇଛି । ବିଶେଷ କରି ରବି ଚାଷ ପାଇଁ ଆଳୁ, ପିଆଜ, ମକା, ପନିପରିବା ଚାଷ ସହ ତୈଳ ବୀଜ ଓ ଡାଲି ଜାତୀୟ ଫସଲକୁ ଅଗ୍ରାଧିକାର ଦିଆଯିବା ଏବଂ ଜୈବିକ ସାରର ପ୍ରୟୋଗକୁ ନେଇ କୃଷକ-ବୈଜ୍ଞାନିକଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ରବି ଚାଷରେ ଜିଆ ଖତର ପ୍ରୟୋଗ, ରୋଗପୋକ ପରିଚାଳନା, ଶସ୍ୟ ସଂରକ୍ଷଣକୁ ନେଇ ମତ ବିନିମୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଜୀବନଜୀତ ସେନ୍‌ଙ୍କ ପରିଚାଳନାରେ ଅନୁଷ୍ଠିତ କୃଷକ ମେଳାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷାକୁମାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ବୀରବର ବେହେରା, ସହକାରୀ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ କଳ୍ପବଟ ବେହେରା ପ୍ରମୁଖ ଯୋଗ ଦେଇ ମାଟି ପରୀକ୍ଷଣ ଓ ମାଟି ପରିଚାଳନା ଉପରେ ଗୁରୁତ୍ବାରୋପ କରିବା ସହ କୃଷି ଉତ୍ପାଦକତାକୁ ନେଇ ଆଲୋକପାତ କରିଥିଲେ । ଏହି ଅବସରରେ ଅର୍ଥନୈତିକ ଚାଷକୁ ନେଇ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ଦୁଇଜଣ ସଫଳ ଚାଷୀ ପ୍ରଣବ ପ୍ରଧାନ ଓ ରାଜେଶ ପ୍ରଧାନଙ୍କୁ ଓୟୁଏଟି ତରଫରୁ ପ୍ରଦତ୍ତ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.