pakka

‘ମହାନଦୀର ଚରିତ୍ରରେ ପରିବର୍ତ୍ତନ ଏବଂ ଜନସମୁଦାୟ ଓ ନ‌ଦୀ ଉପରେ ତାହାର ପ୍ରଭାବ’ ଉପରେ କର୍ମଶାଳା ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶାର ଜୀବନ ରେଖା ମହାନଦୀର ଚରିତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ଏବଂ ସେହି ପରିବର୍ତ୍ତନର ହାର ଓ ବ୍ୟାପକତା ଆହୁରି ବଢିବଢି ଚାଲିଛି ବୋଲି ଆଜି ସୁବର୍ଣ୍ଣପୁରରେ ‘ମହାନଦୀର ଚରିତ୍ରରେ ପରିବର୍ତ୍ତନ ଏବଂ ଜନସମୁଦାୟ ଓ ନଦୀ ଉପରେ ତାହାର ପ୍ରଭାବ’ ଶୀର୍ଷକ କର୍ମଶାଳାରେ ମତ ପ୍ରକାଶ ପାଇଛି । ନଦୀର ଚରିତ୍ରରେ ଘଟିଥିବା ଓ ଘଟୁଥିବା ସେହିସବୁ ପରିବର୍ତ୍ତନ ତଥା ଅନ୍ୟ ସାମାଜିକ ଓ ରାଜନୈତିକ କାରଣ ଯୋଗୁଁ ନଦୀ ନିଜେ ବିପଦଗ୍ରସ୍ତ ହେବା ସହିତ ନ‌ଦୀ ସହିତ ଜଡିତ ଅନେକ ଜନସମୁଦାୟର ଜୀବନ ଓ ଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ସୁବର୍ଣ୍ଣପୁର ସହିତ ମହାନଦୀର ଅତି ଅନ୍ତରଙ୍ଗ ସମ୍ପର୍କ ରହିଛି । ସେହି ସମ୍ପର୍କ ଅତି ବ୍ୟାପକ । ନଦୀ ସହିତ ସୁବର୍ଣ୍ଣପୁରର ଜୀବନ-ଜୀବିକା ଯୋଡି ହୋଇ ରହିଛି, ସୁବର୍ଣ୍ଣପୁରର ଇତିହାସ ଓ ସଂସ୍କୃତି ନଦୀ ପର୍ଯ୍ୟବେସିତ ହୋଇ ରହିଆସିଛି । ନଦୀର ଚରିତ୍ରରେ ବିଭିନ୍ନ ପରିବର୍ତ୍ତନ ଅନେକ କ୍ଷେତ୍ରରେ ବାରି ହୋଇଯାଉଛି ବୋଲି କର୍ମଶାଳାରେ ଆଲୋଚନା ହୋଇଥିଲା । ଜୀବିକା, ଜୀବନ, ଚଳଣି, ସଂସ୍କୃତି, ସଭ୍ୟତା, ବିପର୍ଯ୍ୟୟ ଆଦି ପ୍ରସଙ୍ଗ ସହିତ ପ୍ରଦୂଷଣ, ନଦୀ ପରିଚାଳନା, ନଦୀ ଉପରେ ଅଧିକାର ତଥା ନଦୀର ନିଜର ଅଧିକାର ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ଜୀବିକା ଉପରେ ଚର୍ଚ୍ଚା ହୋଇଥିଲା । ନଦୀରେ ବ୍ଲାଷ୍ଟିଙ୍ଗ ଓ ବିଷ ପ୍ରୟୋଗ କରି ଅବାଧ ମାଛଧରା କାରଣରୁ ପରିବେଶ ଓ ଜୀବିକାର ଅପୂରଣୀୟ କ୍ଷତି ବିଷୟରେ ବିଷଦ ଚର୍ଚ୍ଚା ହୋଇଥିଲା । କର୍ମଶାଳାରେ ଅନେକ ପ୍ରମୁଖ ପ୍ରସଙ୍ଗ ସହିତ ପ୍ରଭାବିତ ହୋଇଥିବା ଜନସମୁଦାୟଙ୍କ ବିଷୟରେ ଆଲୋଚନା ହୋଇଥିଲା ତଥା ସମ୍ଭାବ୍ୟ ପ୍ରତିକାର ଓ ନଦୀ ସଂରକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଭ୍ୟତା ଓ ବିକାଶ ସହିତ ନଦୀର ନିବିଡ ସମ୍ପର୍କ ଥିବା ନଦୀ ସ‌ହ ସମ୍ପର୍କକୁ ନେଇ ବିଶେଷ ନୀତି ଓ ବ୍ୟବସ୍ଥା ଏପର୍ଯ୍ୟନ୍ତ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ନଦୀର ପରିଚାଳନା ତଥା ନଦୀ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କର ତଥା ପଂଚାୟତ ଭଳି ସ୍ଥାନୀୟ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ସୁବର୍ଣ୍ଣପୁରର ଇଙ୍କଫେଷ୍ଟ ଓ ପୁରୀର ଜନମଙ୍ଗଳ ମହିଳା ସମିତି ତ୍ୱାରା ଆୟୋଜିତ ଏହି କର୍ମଶାଳା ସୁବର୍ଣ୍ଣପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ଗତିକୃଷ୍ଣ ମିଶ୍ରଙ୍କ ପରିଚାଳନାରେ ଆରମ୍ଭ ହୋଇଥିବା ପ୍ରଥମ ଅଧିବେଶନର ଇଙ୍କଫେଷ୍ଟର ସଭାପତି ସ୍ୱାଧୀନ ମେହେରଙ୍କ ସ୍ୱାଗତ ବକ୍ତବ୍ୟ ପରେ ଜନମଙ୍ଗଳ ମହିଳା ସମିତିର ସଚିବ ସନ୍ଦୀପ ପଟ୍ଟନାୟକ କର୍ମଶାଳାର ଉଦ୍ଦେଶ୍ୟ ରଖିଥିବା ବେଳେ ବିମଳ ପାଣ୍ଡିଆ ମହାନଦୀର ଚରିତ୍ରକୁ ନେଇ ପ୍ରାରମ୍ଭିକ ଉପସ୍ଥାପନା ରଖିଥିଲେ, ଏବଂ ଗୌରୀଶ୍ୟାମ ପଣ୍ଡା ସୁବର୍ଣ୍ଣପୁର ସହିତ ମହାନଦୀର ସମ୍ପର୍କକୁ ଉପସ୍ଥାପନା ରଖିଥିଲେ । ଏହାପରେ ବିଶିଷ୍ଟ ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଖୋଲା ଅଧିବେଶନରେ ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାର ବିଭିନ୍ନ ବର୍ଗରୁ ଆସିଥିବା ବ୍ୟକ୍ତିମାନେ ନିଜ ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଦେବାଶିଷ ପାଣ୍ଡିଆ, ଅଧିବକ୍ତା ତଥା ସଂସ୍କୃତି କର୍ମୀ ଶ୍ୟାମ ଓମ୍‌ ପ୍ରସାଦ ମିଶ୍ର, ବେଣୁଧର ପ୍ରଧାନ, କେଉଟ, କୈବର୍ତ୍ତ ଓ ଝରା ସମୁଦାୟର ପ୍ରତିନିଧି, ଚାଷୀ ପ୍ରତିନିଧି, ପଂଚାୟତ ପ୍ରତିନିଧି, ସାମ୍ବାଦିକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

13 − 6 =