୬ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ : ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଦେଲେ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ମରୁଡି ପ୍ରବଣ ଜିଲ୍ଲା । ଜିଲ୍ଲାର ଗ୍ରାମାଂଚଳରେ ମଧ୍ୟ ପାଣିର ଘୋର୍‌ ଅସୁବିଧା ଦେଖାଯାଉଥିବା ବେଳେ ଲୋକେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ଆଜି ରାଜ୍ୟ କେବିନେଟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହର୍‌ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏଥିପାଇଁ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜଳସେଚନ, ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, କଂଟାବାଂଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆୟୁବ ଖାନ୍‌, କଂଟାବାଂଜି ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାପତି ଶ୍ରୀମତୀ ଦମୟନ୍ତୀ ବାଗ ପ୍ରମୁଖ ମଂଚାସୀନ ଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲା ପାଇଁ ୬ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅନୁମୋଦନ କରିଛନ୍ତି । ତେବେ ଏହି ୬ଟି ପ୍ରକଳ୍ପ ମଧ୍ୟରୁ ୪ଟି ପ୍ରକଳ୍ପ ୩୦୦ କୋଟି ଟଙ୍କାର ହୋଇଥିବା ବେଳେ ଅନ୍ୟ ୨ଟି ୨୦୫ କୋଟି ୩୨ ଲକ୍ଷ ଟଙ୍କାର । ତେବେ ଏହି ୪ଟି ପ୍ରକଳ୍ପ ଅର୍ଥାତ୍‌ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୫ଟି ବ୍ଲକ ଅଧୀନରେ ଥିବା ୪୫ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୨୩୭ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨,୦୦,୨୬୬ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମ ମଧ୍ୟରୁ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ୧ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୫ଟି ଗ୍ରାମର ପ୍ରାୟ ୪୨୮୫ ଜଣ, ପୁଇଁନ୍ତଲା ବ୍ଲକ ଅଧୀନରେ ଥିବା ୨୧ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୨୪ଟି ଗ୍ରାମର ପ୍ରାୟ ୯୯,୨୦୫ ଜଣ, ଆଗଲପୁର ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୩୧ଟି ଗ୍ରାମର ପ୍ରାୟ ୩୬,୧୮୬ ଜଣ, ଲୋଇସିଂହା ବ୍ଲକ ଅଧୀନରେ ଥିବା ୫ଟି ଗ୍ରାମ ପାଂଚୟତ ଅନ୍ତର୍ଗତ ୨୩ଟି ଗ୍ରାମର ପ୍ରାୟ ୨୨,୨୩୦ ଜଣ ଓ ଦେଓଗାଁ ବ୍ଲକ ଅଧୀନରେ ଥିବା ୧୦ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୫୪ଟି ଗ୍ରାମର ପ୍ରାୟ ୩୮,୩୬୦ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ସେହିପରି ଅନ୍ୟ ୨ଟି ପ୍ରକଳ୍ପ ଅର୍ଥାତ୍‌ ୨୦୫ କୋଟି ୩୨ ଲକ୍ଷ ଟଙ୍କାର ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୩ଟି ବ୍ଲକ ଅଧୀନରେ ଥିବା ୨୪ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୨୪ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୦୬,୧୭୫ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମମଧ୍ୟରୁ ତୁରେକେଲା ବ୍ଲକ ଅଧୀନରେ ଥିବା ୧୭ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୮୭ଟି ଗ୍ରାମର ପ୍ରାୟ ୭୦,୦୬୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଅଧୀନରେ ଥିବା ୬ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୨୮ଟି ଗ୍ରାମର ପ୍ରାୟ ୩୦,୯୨୧ ଜଣ ଓ ମୁରିବାହାଲ ଅଧୀନରେ ଥିବା ୧ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୯ଟି ଗ୍ରାମର ପ୍ରାୟ ୫,୧୯୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ବେଳେ ଏହି ସମସ୍ତ ପ୍ରକଳ୍ପକୁ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ।

Leave A Reply

Your email address will not be published.