ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ଡ୍ରେନେଜ୍ ବ୍ୟବସ୍ଥା ନାହିଁ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ସଡକପଡାରୁ ମନ୍ଦିର ପଡାକୁ ସଂଯୋଗ କରିଥିବା ରାସ୍ତାର ଅବସ୍ଥା ନ କହିଲେ ଭଲ । ଖରାଦିନରେ ବି ଆଣ୍ଠୁଏ ପାଣି ଏବଂ ପଙ୍କ କାଦୁଅ । ସେ ରାସ୍ତା ଦେଇ ଯିଏ ଯାଏ, ଖସି ପଡିଯିବା ଘଟଣା ପ୍ରାୟତଃ ଘଟେ । ୧୩ ଫୁଟର ଏହି ଅଣ ଓସାରିଆ ରାସ୍ତାରେ ଚାଲିବା ପାଇଁ କେବଲ ୫ ଫୁଟ୍ ବାଟ ରହିଛି । ବାକି ସବୁ ପଙ୍କ କାଦୁଅ ପାଣିରେ ପରିପୂର୍ଣ୍ଣ । ସାଇକେଲ କିମ୍ବା ଦୁଇଚକିଆ ଯାନରେ ଯିବା ପାଇଁ ଲୋକେ ଭୟ କରନ୍ତି, କାଳେ କାଦୁଅ ପାଣିରେ ଖସି ପଡିବେ ।
ଏ ସମସ୍ୟା ହେବାର କାରଣ ରହିଛି । ଏଠୁ ପାଣି ଯିବା ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନାହିଁ ଏବଂ ସଡକପଡା ରାସ୍ତା ତିଆରି ହେଲା ବେଳେ ସେ ରାସ୍ତାକୁ ଏହା ଠାରୁ ଢେର ଉଚ୍ଚ କରି ଦିଆ ଯାଇଥିବାରୁ ଏହି ପୁରାତନ ରାସ୍ତା ତଳେ ରହି ପାଣି ଜମି ଯାଉଛି । ଗାଁର ସମସ୍ତ ପାଣି ଆସି ଏହି ରାସ୍ତାରେ ଜମି ଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନରେ ଏହି ରାସ୍ତା ଦେଇ ଯାତାୟାତ କରିବା ପାଇଁ ବହୁ କଷ୍ଟସାଧ୍ୟ ହୋଇପଡେ । ଏ ସାହିରେ ରହୁଥିବା ଲୋକମାନେ ଅନ୍ୟ ରାସ୍ତା ଦେଇ ନିଜ ଘରକୁ ଆସିବାକୁ ପଡିଥାଏ । ଏହି ରାସ୍ତାକୁ ତୁରନ୍ତ ନୂତନ ଭାବେ ନିର୍ମାଣ କରି ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.