csstore

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରରେ ଅବସ୍ଥିତ ଖଲ୍ଲିକୋଟ ଏକକ ବିଶ୍‌ଶ୍ୱବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା, ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀକୁ ସ୍ଥାୟୀ ଭିତ୍ତିରେ ପଦବୀ ପୂରଣ କରିବା ଆଦି ଦାବିରେ ଏ. ଆଇ. ଡି. ଏସ୍. ଓ. ଗଞ୍ଜାମ ଜିଲ୍ଲା କମିଟିର ନେତୃତ୍ଵରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା । ଗତ ଦୁଇଦିନ ଧରି ଚାଲିଥିବା ଧାରଣା କାର୍ଯ୍ୟକ୍ରମ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଧାରଣା ଚାଲିଥିବାବେଳେ କୁଳପତିଙ୍କ ଅନୁରୋଧ କ୍ରମେ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟିଥିଲେ । ସେଠାରେ ବିଶ୍ୱବିଦ୍ୟାଳୟର କୁଳପତି ୟୁଜିସିର ୨(ଏଫ୍‌) ମାନ୍ୟତା ମିଳିବାନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସେ ଏସମ୍ପର୍କରେ ଏକ ନୋଟିସ୍‌ ଜାରି କରି ଉଲ୍ଲେଖ କରିଛନ୍ତି ଯେ, ‘ୟୁଜିସି ଅଧିନିୟମ, ୧୯୫୬ର ଧାରା ୨(ଏଫ୍‌) ଅନୁଯାୟୀ ଆମ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିବାପାଇଁ ୟୁନିଭର୍‌ସିଟି ଗ୍ରାଣ୍ଡ କମିସନ, ନୂଆଦିଲ୍ଲୀରେ ପ୍ରକ୍ରିୟାଧୀନ ରହିଛି । ଏହା ଖୁବ ଶୀଘ୍ର ପ୍ରଦାନ କରାଯିବ । ଏହି ପ୍ରତିଶ୍ରୁତି ପରେ ଛାତ୍ର ଧାରଣା ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ ତାହେଲେ ଆନ୍ଦୋଳନ ଜାରି ରହିବ ବୋଲି ଏ. ଆଇ. ଡି. ଏସ୍‌. ଓ. ପକ୍ଷରୁ ପ୍ରକାଶ କରାଯାଇଛି । ଆଜିକାର ଧାରଣା କାର୍ଯ୍ୟକ୍ରମରେ ଏ. ଆଇ. ଡି. ଏସ୍‌. ଓ. ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ଉପସଭାପତି ପପୁନ ସାହୁ, ସମ୍ପାଦକ ନାରାୟଣ ସାହୁ, କିଶାନ ସାହୁଙ୍କ ସମେତ ଶୁଭସ୍ମିତା ପାଣିଗ୍ରାହୀ ପ୍ରମୁଖ ସଂଗଠନର କର୍ମକର୍ତ୍ତା ଏବଂ ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.