oom

ଓଡ଼ିଆ ଭାଷା ଆନ୍ଦୋଳନ ଉପରେ ଆଲୋଚନା ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଓଡ଼ିଆ ଭାଷା ଆନ୍ଦୋଳନ ଉପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ଷଢେଇକଳାର ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ କାର୍ତ୍ତିକ ପରିଚ୍ଛା ଫକୀରମୋହନଙ୍କ ପ୍ରତିମୂର୍ତ୍ତି ଏବଂ ଫକୀରମୋହନଙ୍କ ତୈଳ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସଭାପତି ଶ୍ରୀ ଦାସ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ବିଭିନ୍ନ ସମୟରେ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ବ୍ୟାସକବି ଫକୀରମୋହନଙ୍କ ଲେଖା କୃତି ଓ ତାର ସାମାଜିକ ଦିଗ ଉପରେ ବିଶଦ ସୂଚନା ଦେଇଥିଲେ । ନିମନ୍ତ୍ରିତ ଅତିଥି ଶ୍ରୀ ପରିଛା ଷଢେଇକଳା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷାଭାଷୀ ଲୋକେ ଝାଡ଼ଖଣ୍ଡର ଅମଲାତନ୍ତ୍ରର ହସ୍ତକ୍ଷେପ ଯୋଗୁଁ କିପରି ଅସୁବିଧା ଭୋଗ କରନ୍ତି ସେକଥା ଆଲୋଚନା କରିଥିଲେ । ଏକଦା ଗୋଟିଏ ଗୋଟିଏ ସ୍କୁଲରୁ ଶତାଧିକ ପିଲା ଓଡ଼ିଆରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏବେ ସମଗ୍ର ରାଜ୍ୟରୁ ଦୁଇ ଶହରୁ ତିନି ଶହ ପିଲା ପରୀକ୍ଷା ଦେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଭାଷା ଭିତ୍ତିକ ଅଞ୍ଚଳ ମିଶ୍ରଣ ” ମିଶନ ୨୦୩୬”ର ଏଜେଣ୍ଡା ଓ ତା’ଉପରେ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠାନଠାରୁ ଅନୁଷ୍ଠାନ ସାହାଯ୍ୟ ଆଶା କରେ । ସୁବର୍ଣ୍ଣରେଖା ଅନୁଷ୍ଠାନ ମଧ୍ୟ ସମସ୍ତ କ୍ଷେତ୍ରରେ ସହଯୋଗ କରିବ ବୋଲି ଭରଷା ଦେଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ । ମହାନ୍ ଭାଷାବିତ୍ ମାନେ ରାସ୍ତା ତିଆରି କରିଯାଇଛନ୍ତି, ଆମେ ସେହି ରାସ୍ତା ଦେଇ ଯିବା ଓ ଓଡ଼ିଆ ଭାଷା ବିଶ୍ଵବାସୀଙ୍କୁ ଏକ ଅନନ୍ୟ ଉପହାର ବୋଲି ଦର୍ଶାଇବା, ଏଥିପାଇଁ ସମସ୍ତେ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଥିଲେ । ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ସ୍ୱାଗତ ଭାଷଣ ଓ ସଭାକାର୍ଯ୍ୟ ସଞ୍ଚାଳନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହା ଏକ ସମୟର ଡାକରା, ଏଣୁ ଏଥିପାଇଁ ଭାଷା ପ୍ରେମୀ ଓ ଅନୁଷ୍ଠାନ ପ୍ରେମୀ ମାନେ ଆଗେଇ ଆସିବାକୁ ସାଙ୍ଗଠନିକ ସମ୍ପାଦକ କମଳାକାନ୍ତ ପ୍ରଧାନ ଅନୁରୋଧ କରିଥିଲେ । ଶେଷରେ ସଭାପତି ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.