om academy

ଗଞ୍ଜାମ ସହର ଗ୍ରାସୀମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ୍‌ ପାଇପ୍‌ ଫାଟି ଅଘଟଣ : ୬ ଆହତ

jsm
  • ଆହାତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବାକୁ ଶ୍ରମିକସଂଘ ପକ୍ଷରୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ୍‌ ପାଇପ୍‌ ଫାଟି ଗତକାଲି ଅର୍ଥାତ୍ ଶୁକ୍ରବାର ସକାଳେ ଏକ ଅଦ୍ଭାବନୀୟ ଘଟଣା ଘଟିଛି । ପ୍ଲାଣ୍ଟର ସଲ୍ଫରିକ୍ ଏସିଡ୍ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇପଡ଼ିଥିବା ସାଂଗକୁ ଅନ୍ୟ ୩ ଜଣ ଆହତ ହୋଇଥିବା ଅବା ସର୍ବମୋଟ ୬ ଜଣ ଆହତ ହୋଇଥିବା ଖବର ମିଳିଛି । କମ୍ପାନୀର ଗ୍ୟାସ୍‌ ପାଇପ୍‌ ଫାଟି ସମସ୍ତ ୬ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ଯୁବକ ଖୁବ୍ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ କମ୍ପାନୀର ସ୍ଵତନ୍ତ୍ର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାଯାଉଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ’ ଗଞ୍ଜାମ ସହରରେ ଅବସ୍ଥାପିତ ପ୍ରତିଷ୍ଠିତ କମ୍ପାନୀ ଗ୍ରାସୀମ୍ କେମିକାଲସ୍ ସଲ୍ଫରିକ୍ ଏସିଡ୍ ପ୍ଲାଣ୍ଟ କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇ ଶ୍ରମିକମାନଙ୍କ ଦ୍ଵାରା ଗ୍ୟାସ୍‌ ପାଇପ୍‌ ଗୁଡିକର ପରିପାର୍ଶ୍ଵ ସଫେଇ ଓ ମରାମତି କାର୍ଯ୍ୟ ଚାଲିଥିଲା । ଅସାବଧାନତା ବଶତଃ ହଠାତ୍ ଗ୍ୟାସ୍‌ ପାଇପ୍‌ ଫାଟି ଯାଇଥିଲା । ଫଳରେ ସେଠାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ଇଞ୍ଜିନିୟର ଶଶୀ କାନ୍ତ ମହାରଣା, ସୁପର୍‌ଭାଇଜର୍‌ କେଶବ ସାହୁ, ରାହୁଲ୍ ଯାଦବ ବୋଲି ଜଣାଯାଇଛି । ଗ୍ୟାସ୍ ପାଇପ୍ ଫାଟି ଇଞ୍ଜିନିୟର ଜଣଙ୍କ ମୁହଁରେ ଓ ଶରୀରରେ ସଲ୍ଫରିକ୍ ଏସିଡ୍ ଛିଟା ପଡ଼ି ଚକ୍ଷୁ ଆଘାତ ହୋଇଛି ଓ ଦେହରେ ପଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ସେହିପରି କାର୍ଯ୍ୟରତ ଅନ୍ୟମାନଙ୍କ ଦେହରେ ମଧ୍ୟ ଗ୍ରାସୀମ୍ କେମିକାଲସ୍ କମ୍ପାନୀର ସଲ୍ଫରିକ୍ ଏସିଡ୍ ଛିଟା ମାଡ଼ ହୋଇ ଗୁରୁତର ହୋଇଥିବା ଜଣାଯାଇଛି । ଖବରପାଇ ଛତ୍ରପୁରର ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେଠି ସାମ୍ୱାଦିକମାନଙ୍କୁ ଅପବ୍ୟବହାର ଓ ଗଣମାଧ୍ୟମ ପ୍ରତିନିଧିମାନେ ଅପ୍ରୀତିକର ସମସ୍ୟାର ସମ୍ମୁଖୀନ ହୋଇଥିବା କୁହାଯାଇଛି । କମ୍ପାନୀ ଫାଟକ ନିକଟରେ ପହଞ୍ଚିଲା ବେଳକୁ ଫଟୋ ଉତ୍ତୋଳନ କରୁଥିବା ବେଳେ କମ୍ପାନୀରେ ନିୟୋଜିତ ସିକ୍ୟୁରିଟୀ-ମୁଖ୍ୟ ଲିପିକ ମହାନ୍ତି ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପରେ କମ୍ପାନୀ ଆଇ. ଆର୍‌. ମୁଖ୍ୟ ପୁରୁଷୋତ୍ତମ୍ ଶର୍ମା ଏବଂ ସି.ଏସ୍‌.ଆର୍‌. ମୁଖ୍ୟ ସୁସ୍ମିତା ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଗଞ୍ଜାମ ତହସିଲଦାର୍‌ ଓ ଗଞ୍ଜାମ ଥାନା ଆଇ. ଆଇ. ସି. ନମିତା ପାତ୍ର ଗ୍ରାସୀମ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ସୁରକ୍ଷା ଅଧିକାରୀ ମହାନ୍ତିଙ୍କ ଦୁର୍ବ୍ୟବହାର ସମ୍ପର୍କରେ ୟୁନିଟ୍‌ ହେଡ଼ଙ୍କ ଠାରେ ଅଭିଯୋଗ କରିବେ ବୋଲି ଦୃଢ ହସ୍ତରେ ପ୍ରତିବାଦ କରିଥିଲେ । ଆହାତମାନଙ୍କର ଆଶୁ ଚିକିତ୍ସା ସେବା, ସମସ୍ତ ଖର୍ଚ୍ଚ ମାଗଣାରେ କରାଯିବା ସାଂଗକୁ ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବାକୁ ଶ୍ରମିକ ସଂଘ ପକ୍ଷରୁ ସାଧାରଣରେ ଦାବୀ ହେଉଅଛି ।

Leave A Reply

Your email address will not be published.