om academy

ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁଇଦିନିଆ ପେନ୍‌ସନ୍‌ ଅଦାଲତ ଉଦ୍‌ଯାପିତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର(ଏ.ଜି) ସହଯୋଗରେ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ “ଋଷିକୂଲ୍ୟା” ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ବରିଷ୍ଠ ଉପମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନ୍‌ସନ୍‌ ଅଦାଲତରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ମୁଖ୍ୟ ଅତିଥି, ମହାଲେଖାକାର(ପେନ୍‌ସନ୍‌) ଶ୍ରୀମତୀ ଏସ. ଅରୁଣା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଉପମହାଲେଖାକାର ଶ୍ରୀରାଜ ଅଶୋକ ତାଙ୍କ ଅଭିଭାଷଣରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପେନ୍‌ସନ୍‌ ପ୍ରଦାନ ପାଇଁ ସରକାରୀ ନିର୍ଦେଶ ନାମା ଥିବା ସତ୍ୱେ ପେନ୍‌ସନ୍‌ ମଞ୍ଜୁରକର୍ତାମାନେ ଠିକ୍‌ ସମୟରେ ସେମାନଙ୍କର ପେନ୍‌ସନ୍‌ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉନାହାନ୍ତି । ଯାହାଫଳରେ ବାହୁବର୍ଷ ଧରି ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନ୍‌ସନ୍‌ ପାଇବାରେ ବିଳମ୍ବ ହେଉଅଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୨୦୧୮ ମସିହାରୁ ବିଭିନ୍ନ ସମୟରେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି । ମାତ୍ର ପେନ୍‌ସନ୍‌ ମଞ୍ଜୁର କର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନ୍‌ସନ୍‌ କାଗଜ ପଠାଉଛନ୍ତି । ଅନ୍‌ଲାଇନ୍‌ ମାଧ୍ୟମରେ ପେନ୍‌ସନ୍‌ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନ୍‌ସନ୍‌ ମଞ୍ଜୁରକର୍ତ୍ତାମାନଙ୍କୁ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଅଛି । ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି । ଏହି ପେନ୍‌ସନ୍‌ ଅଦାଲତରେ ଗଞ୍ଜାମ ଜିଲ୍ଲାର ୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ୪୦୭ଟି ବକେୟା ପେନ୍‌ସନ୍‌ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ୧୪୭ଟି ପେନ୍‌ସନ୍‌ କେସ୍‌ ମଂଜୁର ପାଇଁ ପଦକ୍ଷେପ ନିଆଗଲା ଓ ଏହାକୁ ତୁରନ୍ତ ଏ.ଜି କାର୍ଯ୍ୟାଳୟକୁ ପଠାଯିବ । ଏହାଛଡା ୮୭ଟି ଗ୍ରାଚୁଇଟି କେସ୍‌ ମଧ୍ୟରୁ ୪୨ ଟି କେସ ମଂଜୁର ପାଇଁ ଏ. ଜି କାର୍ଯ୍ୟାଳୟକୁ ପଠାଯିବାକୁ ସ୍ଥିର କରାଗଲା । ଜିଲ୍ଲାପାଳ ଶ୍ରୀ ପରିଡା ଓ ଶ୍ରୀରାଜ ଅଶୋକ ଫଇସଲା ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ୧୬ଟି ଗ୍ରାଚୁଇଟି ଆଦେଶ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । ଏହି ପେନ୍‌ସନ୍‌ ଅଦାଲତକୁ ବରିଷ୍ଠ ଲେଖାଧିକାରୀ ନାଗେଶ୍ୱର ରାଓ, ମନୋରଞ୍ଜନ ପାଣିଗ୍ରାହୀ, ଏ.ଜିର ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ ପରିଚାଳନା କରିଥିଲେ । ଆଗାମୀ ଦିନରେ ଅନ୍ୟ ଜିଲ୍ଲାମାନଙ୍କରେ ପେନ୍‌ସନ୍‌ ଅଦାଲତ ଅନୁଷ୍ଠିତ ହେବ ବୋଲି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ।

Leave A Reply

Your email address will not be published.

one × five =