
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ରହିଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଫ୍ୟାମିଲି କୋର୍ଟ ଜଜ୍ ବେଣୁଧର ପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ ହିମାଂଶୁ ଶେଖର ସିଂହ, ବରିଷ୍ଠ ସିଭିଲ୍ ଜଜ୍ ଜ୍ୟୋତିରଂଜନ ଦାଶ, ବରିଷ୍ଠ ଅତିରିକ୍ତ ସିଭିଲ୍ ଜଜ୍ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, କନିଷ୍ଠ ସିଭିଲ ଜଜ୍ ସସ୍ମିତା ସେଠୀ, ଏସ୍ଡ଼ିଜେଏମ୍ ମନୋଜ ମହାନ୍ତି, ଜେଏମ୍ଏଫ୍ସି ଜିଲ୍ଲା ଜଜ୍ କୋର୍ଟ ପବ୍ଲିକ୍ ପ୍ରୋସିକ୍ୟୁଟର ପ୍ରକାଶ କୁମାର କର, ସୁବାସ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲ ଉପସ୍ଥିତ ଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୫ଟି ଦେୱାନୀ ମକଦ୍ଦମାର ଫଇସଲା ହୋଇଥିଲା । ୧୧ଟି ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୪୬ ଲକ୍ଷ ୭୬୦ ଟଙ୍କା ଆଦାୟ ହୋଇଥିବା ବେଳେ ୧୧ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ ୬୫ ଲକ୍ଷ ୪୫ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ କରାଯାଇଥିଲା । ସେହିପରି ୨୦୦ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇ ୨ ଶହ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ୨୩୦ଟି ପ୍ରାକ୍ ମକଦ୍ଦମା ମାମଲାର ସମାଧନ କରାଯାଇ ୫୧ ଲକ୍ଷ ୨୯ ହଜାର ୮୬୯ ଟଙ୍କା ଆଦାୟ ହୋଇଥିବା ବେଳେ ପାରିବାରିକ ମିଳାମିଶାରେ ୬ଟି ମାମଲା ଫଇସଲା କରାଯାଇଥିଲା । ଏଥିସହିତ ୫୬୬୧ଟି ରାଜସ୍ୱ ମାମଲାର ବିଚାର କରାଯାଇଥିଲା । ଉକ୍ତ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ ।
