କ୍ଳାଟ୍‌ ପରୀକ୍ଷାରେ କୃତୀତ୍ୱ ଆଣିଲେ ଅଭିସ୍ମିତା ଶ୍ୟାମଳୀ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ କମନ୍‌ ଲ’ ଆଡମିସନ୍‌ ଟେଷ୍ଟ(କ୍ଳାଟ୍‌) ପରୀକ୍ଷାରେ ବଲାଙ୍ଗିରର ଛାତ୍ରୀ ଅଭିସ୍ମିତା ଶ୍ୟାମଳୀ ମିଶ୍ର କୃତୀତ୍ୱ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସର୍ବଭାରତୀୟ କ୍ଳାଟ୍‌ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅଭିସ୍ମିତା ଶ୍ୟାମଳୀ ମିଶ୍ର ଜିଲ୍ଲାର ପ୍ରଥମ ଛାତ୍ରୀ ବୋଲି କୁହାଯାଇଛି । ଗତ ସେପ୍ଟେମର ମାସରେ କ୍ଳାଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୨୨ଟି ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟରେ ଆଡମିସନ୍‌ ପାଇଁ ଏହି କ୍ଳାଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଦେଶର ବିଭିନ୍ନ ରାଜ୍ୟରେ ଥିବା ଏହି ୨୨ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଆଡମିସନ୍‌ ପାଇଁ ଚଳିତ ବର୍ଷ ଦେଶର ୫୦ ହଜାରରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଅଭିସ୍ମିତା ଉତ୍ତୀର୍ଣ୍ଣ ହେବା ପରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ତାଙ୍କର ଆଡମିସନ୍‌ ହୋଇଥିବା ଜଣାପଡିଛି । ବଲାଙ୍ଗିର ପ୍ରେସକ୍ଳବ୍‌ ସଭାପତି ଅରୁଣ ମିଶ୍ର ଓ ବଲାଙ୍ଗିର ପବ୍ଳିକ୍‌ ସ୍କୁଲ ଶିକ୍ଷୟିତ୍ରୀ କବିତା ମିଶ୍ରଙ୍କ ଏକମାତ୍ର ଝିଅ ଅଭିସ୍ମିତା ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପ୍ରଥମରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୮୬.୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ପ୍ରଥମ ଥର କ୍ଳାଟ୍‌ ପରୀକ୍ଷା ଦେଇ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି । ସ୍କୁଲରେ ବିଭିନ୍ନ ଶ୍ରେଣୀରେ ବକ୍ତୃତା, ଗୀତ, ବିଭିନ୍ନ ଖେଳ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଅଭିସ୍ମିତା ଦୁଇଟି ସର୍ଟଫିଲ୍ମ ମଧ୍ୟ ଅଭିନୟ କରିଛନ୍ତି ।

Leave A Reply

Your email address will not be published.