
ନୂଆପଡ଼ା, (କେପିଏନ୍ଏସ୍) : ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ. ଧନେଶ୍ୱର ସେଠୀ ,ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଶେଖ୍ ନସୀମ, ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ନୂଆପଡାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୫୯ଟି ବ୍ୟକ୍ତିଗତ ଓ ୧୪ଟି ସାମୂହିକ ମୋଟ ୭୩ ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା । ଜନ ଶୁଣାଣି ଶିବିର ଉପଲକ୍ଷେ ଗୋଡ଼ାଲ ପଞ୍ଚାୟତରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରର ରକ୍ତଦାତା ମହିଳା ଓ ଶିଶୁ ବିକାଶ ବିଭାଗ କର୍ମଚାରୀ ଓମ୍ ପ୍ରକାଶ ମେହେର ଓ ଦିବ୍ୟ ରଞ୍ଜନ ଦଣ୍ଡସେନାଙ୍କୁ ଜିଲ୍ଲାପାଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିବିରରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ପରେ ଚଟିଆଗୁଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମଧ୍ୟ ୨୮ଟି ବଡ଼ ଏବଂ ୭୬ଟି ଛୋଟ ମୋଟ ୧୦୪ଟି ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରାଯାଇଥିଲା ।