jayashree

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ରାଉଲକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସେକ୍ଟର – ୫ ସ୍ଥିତ ଭାଞ୍ଜଭବନ ଅଡିଟୋରିୟମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତିଙ୍କ ଅଧ୍ୟକ୍ଷତାରେ “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ଉପରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ମୁଖ୍ୟ ବକ୍ତାଭାବେ ବରିଷ୍ଠ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର, ମୁଖ୍ୟ ଅତିଥି ଭାବେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ, ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ମହାମନ୍ତ୍ରୀ ଲତିକା ପଟ୍ଟନାୟକ ମଞ୍ଚାସୀନ ଥିଲେ । ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସାମୂହିକ ବନ୍ଦେ ମାତରଂ ଗାନ ପରେ ବିଧାୟକ ଶ୍ରୀ ତନ୍ତୀ ତାଙ୍କ ସ୍ଵାଗତ ଭାଷଣରେ ଦେଶର ପୂର୍ବ ଇତିହାସକୁ ଦୋହରାଇବା ସହିତ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସହିତ ଅନ୍ୟାନ୍ୟ ଦଳ ଦେଶରେ ଅରାଜକତା ସୃଷ୍ଠି କରିବାକୁ ଯେଉଁ ପ୍ରୟାସ କରୁଛନ୍ତି ତାକୁ ସମସ୍ତେ ପ୍ରତ୍ୟାଖ୍ୟାନ କରି ବାକୁ ଆହ୍ୱାନ୍ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ହୋଇଥିଲେ ମଧ୍ୟ ପଶୁପକ୍ଷୀ ମାନଙ୍କର ଆଚରଣ ଅତି ଶୃଙ୍ଖଳିତ ଥିବାବେଳେ ବିରୋଧୀ ଦଳ ବିଦେଶୀଙ୍କର ହାତବାରିସି ସାଜି ଦେଶରେ ଅରାଜକତା ସୃଷ୍ଠି କରିବାକୁ ପ୍ରୟାସ କରୁଛନ୍ତି ବୋଲି ଦର୍ଶାଇଥିଲେ । ମୁଖ୍ୟବକ୍ତା ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ୨୦୧୪ ପୂର୍ବ ଓ ପରେ ଦେଶରେ ଶାସନ କିଭଳି ଚାଲିଥିଲା ତାର ଇତିହାସକୁ ଦୋହରାଇଥିଲେ । ସାମ୍ବିଧାନିକ ମୂଲ୍ୟବୋଧ, ଗଣତନ୍ତ୍ରର ସୁରକ୍ଷା, ଆଇନର ଶାସନ, ଦେଶର ସର୍ବାଙ୍ଗୀନ ବିକାଶ ଏବଂ ସୁସ୍ଥ ସାମାଜିକ ବ୍ୟବସ୍ଥା ଗଠନ ସମ୍ପର୍କରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ୨୦୧୪ ରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, ତିନ ତଲାକ ନିରସ୍ତ୍ର କରି ଦେଶକୁ ବିଶ୍ୱଗୁରୁ କରିବାକୁ ଯେଉଁ ପ୍ରୟାସ କରୁଛନ୍ତି ତାର ଭୂୟସୀ ପ୍ରଶଂସା କରିଥିଲେ । ଭାରତ ଆର୍ଥିକ ନୀତିରେ ଦ୍ରୁତଗତିରେ ଗତି କରୁଥିବାବେଳେ ସାମରିକ, ପରମାଣୁ ଶକ୍ତି ଓ ଜନତାଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆମେରିକା ଭଳି ଧନୀ ରାଷ୍ଟ୍ର ଆଗରେ କେବେବି ମୁଣ୍ଡ ନୂଆଁଇ ନାହାନ୍ତି ଏହା ଭାରତର ଶକ୍ତିର ଆଧାର । ତାଙ୍କ ଅଭିଭାଷଣରେ ଗଣତନ୍ତ୍ରର ମୂଳ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବା ସହ ସମାଜରେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଏସଆଇଆର୍ ଓ ଭୋଟ ଚୋରି ଭଳି ମିଥ୍ୟା ଅଭିଯୋଗ ପ୍ରତି କର୍ଣ୍ଣପାତ ନ କରିବାକୁ ପରାମର୍ଶ ଦେଇଥିଲେ । ଦେଶରେ ବିଦେଶୀ ରାଷ୍ଟ୍ରଙ୍କ ପ୍ରରୋଚନାରେ ଅରାଜକତା ସୃଷ୍ଟି କରୁଥିବା ବିରୋଧୀ ଦଳ ଗୁଡ଼ିକ ପ୍ରତ୍ୟାଖାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ସମାଜର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ସମ୍ମିଳନୀରେ ସାମ୍ବିଧାନିକ ମୂଲ୍ୟବୋଧ, ଗଣତନ୍ତ୍ରର ସୁରକ୍ଷା, ଆଇନର ଶାସନ, ଦେଶର ସର୍ବାଙ୍ଗୀନ ବିକାଶ ଏବଂ ସୁସ୍ଥ ସାମାଜିକ ବ୍ୟବସ୍ଥା ଗଠନ ସମ୍ପର୍କରେ ମତ ବିନିମୟ ହୋଇଥିଲା । ଦେଶର ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଉପସ୍ଥିତ ବୁଦ୍ଧିଜୀବୀ ଅବସର ପ୍ରାପ୍ତ ଅଧ୍ୟାପକ ଋଷିକେଶ ନାୟକ ଓ ଗଜେନ୍ଦ୍ର ନାଥ ଦାସ ଏହି ଆଲୋଚନାରେ ଅଂଶଗ୍ରହଣ କରି ଅରାଜକତାକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଶ୍ରୀମତୀ ଲତିକା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ ଓ ପ୍ରଫୁଲ୍ଲ ମିଶ୍ର, ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଦାଶ, ଅଜୟ କଂସାରୀ, ସମସ୍ତ ମଣ୍ଡଳ ସଭାପତି, କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.