
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବ୍ୟାସଦେବ ହାଇସ୍କୁଲ୍ ପରିସରରେ ଲାୟନ୍ସ କ୍ଲବ ବେଦବ୍ୟାସ ଗ୍ରେଟର ପକ୍ଷରୁ ଶିଶୁ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ ଜୋନ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ ଯୋଗ ଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଲୟନ୍ସ କ୍ଲବର ଉପ-ସଭାପତି ଦିପାଞ୍ଜଳି ବେହେରା, ଲାୟନ୍ସ ଉଦୟ ପ୍ରକାଶ ସିଂହ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ । ଏହାସହ ଶିକ୍ଷୟିତ୍ରୀ ମଞ୍ଜୁବାଳା ତ୍ରିପାଠୀ, ସୁପ୍ରିୟା ଓ ପଣ୍ଡା ସାର୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଧଳ ନିଜ ବକ୍ତବ୍ୟରେ କହିଥିଲେ, “ଆଜିର ଶିଶୁ ହିଁ କାଲିର ଭବିଷ୍ୟତ । ପିଲାମାନେ ମନ ଦେଇ ପାଠ ପଢିବା ସହ ଭଲ ମଣିଷ ହେବାକୁ ହେବ ।” ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଲାୟନ୍ସ କ୍ଲବକୁ ଧନ୍ୟବାଦ ଦେଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।