
ଓଡ଼ିଶାରେ ବସ୍ ଭଡ଼ା ବୃଦ୍ଧି ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ : ଭଡ଼ା ବୃଦ୍ଧି ପ୍ରତ୍ୟାହାର ଦାବିରେ ସିଆଇଟିୟୁର ବିକ୍ଷୋଭ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାରେ ଘରୋଇ ଯାତ୍ରୀବାହୀ ବସ୍ଗୁଡ଼ିକର ଭଡ଼ା ପୁନର୍ବାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ଓ ରାଉରକେଲା ମିନି ବସ୍ ଆସୋସିଏସନ୍ ସିଆଇଟିୟୁ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏହି ବର୍ଦ୍ଧିତ ବସ୍ ଭଡା ବୃଦ୍ଧିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ଉଭୟ ୟୁନିୟନ ପକ୍ଷରୁ ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭରେ ଉଭୟ ୟୁନିୟନର ସାଧାରଣ ସମ୍ପାଦକ ତଥା ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ଉପ ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ, ସଂପାଦକ ଅକ୍ଷୟ ମହାନ୍ତ, ଅରୁଣ ମହାରଣା ଶୁଭେନ୍ଦୁ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ, ସରକାରଙ୍କ ଏହି ଭଡ଼ା ବୃଦ୍ଧି ସାଧାରଣ ଯାତ୍ରୀ, ଦୈନିକ ଯାତାୟାତ କରୁଥିବା ଶ୍ରମିକ, କର୍ମଚାରୀ, ଛାତ୍ରଛାତ୍ରୀ, ଚାଷୀ, ଛୋଟ ବ୍ୟବସାୟୀ ଏବଂ ନିମ୍ନ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିଦେବା ଦରଦାମ୍ ବୃଦ୍ଧି ଓ ଜୀବନଯାପନର ଅଧିକ ଖର୍ଚ୍ଚରେ ଅତିଷ୍ଠ ଜନସାଧାରଣଙ୍କ ପାଇଁ ଏହା ଆଉ ଏକ ଆର୍ଥିକ ଆଘାତ । ରାଜ୍ୟ ସରକାରଙ୍କ ନୂତନ ଭଡ଼ା ନିର୍ଦ୍ଧାରଣ ଅନୁଯାୟୀ ସାଧାରଣ ବସ୍ର ଭଡ଼ା କିଲୋମିଟର ପିଛା ୯୨ ପଇସାରୁ ୧ ଟଙ୍କା ୧୮ ପଇସାକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ପ୍ରାୟ ୨୮ ପ୍ରତିଶତ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ୍ର ଭଡ଼ା ୯୬ ପଇସାରୁ ୧ ଟଙ୍କା ୨୪ ପଇସା, ଡିଲକ୍ସ ବସ୍ର ଭଡ଼ା ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୪୧ ପଇସା ଏବଂ ଏସି ଡିଲକ୍ସ ବସ୍ର ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୯୯ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ସୁପର ଡିଲକ୍ସ ବର୍ଗରେ ଥିବା ଭଡ଼ା ୨ ଟଙ୍କା ୫୩ ପଇସା ଥିବାବେଳେ ନୂତନ ସୁପର ପ୍ରିମିୟମ୍ ବର୍ଗରେ ଏହା ୩ ଟଙ୍କା ୨୧ ପଇସା କରାଯାଇଛି । ନୂତନ ସେମି ଡିଲକ୍ସ ବର୍ଗ ପାଇଁ ୧ ଟଙ୍କା ୩୦ ପଇସା ଏବଂ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର୍ ଏସି ବସ୍ରେ ବର୍ଥ ପିଛା ୪ ଟଙ୍କା ୬୧ ପଇସା ନିର୍ଦ୍ଧାରଣ କରାଯାଇଛି । ସାଧାରଣ ବସ୍ରେ ୧୦୦ କିଲୋମିଟର ଯାତ୍ରା ପାଇଁ ପୂର୍ବରୁ ଯାତ୍ରୀଙ୍କୁ ୯୨ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଏବେ ୧୧୮ ଟଙ୍କା ଦେବାକୁ ପଡ଼ିବ । । ଅର୍ଥାତ୍ ଗୋଟିଏ ଯାତ୍ରାରେ ୨୬ ଟଙ୍କା ଅଧିକ ଖର୍ଚ୍ଚ ହେବ । ପ୍ରତିଦିନ ଦୁଇଥର ଯାତାୟାତ କରୁଥିବା ଜଣେ ଶ୍ରମିକ ବା କର୍ମଚାରୀଙ୍କ ପାଇଁ ଏହି ଅତିରିକ୍ତ ଖର୍ଚ୍ଚ ମାସକୁ ଏକ ବଡ଼ ଆର୍ଥିକ ବୋଝରେ ପରିଣତ ହେବ। ବସ୍ ଯାତ୍ରା କେବଳ ଏକ ପରିବହନ ସେବା ନୁହେଁ, ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା । ବିଶେଷକରି ଗ୍ରାମାଞ୍ଚଳର ଲୋକମାନେ ଚିକିତ୍ସା, ଶିକ୍ଷା, ଜୀବିକା, କୃଷି ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବସ୍ ଯାତ୍ରା ଉପରେ ନିର୍ଭରଶୀଳ । ଦୈନିକ ମଜୁରିଆ, ଛୋଟ ଚାଷୀ, ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ଆୟ ବୃଦ୍ଧି ହେଉନଥିବାବେଳେ ଯାତାୟାତ ଖର୍ଚ୍ଚ ବଢ଼ାଇବା ସେମାନଙ୍କ ଜୀବନକୁ ଆହୁରି ଦୁର୍ବିସହ କରିବ । ସରକାର ପେଟ୍ରୋଲ ଓ ଡିଜେଲର ଦର ନିୟନ୍ତ୍ରଣ କରୁନଥିବା ବେଳେ ଅତ୍ୟଧିକ ଟୋଲ ଟିକସ ଆଦାୟ ସରକାରଙ୍କ ପକ୍ଷରୁ କୁହାଯାଉଛି ତତ୍ ସହିତ ବୀମା ପ୍ରିମିୟମ ମଧ୍ୟ ଅଧିକ କରାଯାଇଛି । ବିଶେଷ ଭାବରେ ଦରଦାମ୍ ବୃଦ୍ଧି, ଖାଦ୍ୟସାମଗ୍ରୀ, ରନ୍ଧନ ଗ୍ୟାସ୍, ବିଦ୍ୟୁତ୍ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅଧିକ ଖର୍ଚ୍ଚ ଯୋଗୁଁ ଲୋକମାନେ ପୂର୍ବରୁ ଆର୍ଥିକ ଚାପରେ ଅଛନ୍ତି । ଏପରି ସମୟରେ ବସ୍ ଭଡ଼ା ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଯାପନ ଖର୍ଚ୍ଚକୁ ଆହୁରି ବଢ଼ାଇବ । ଏହାର ପ୍ରଭାବ କେବଳ ଯାତାୟାତ ଖର୍ଚ୍ଚରେ ସୀମିତ ରହିବ ନାହିଁ; ଏହା ଗ୍ରାମୀଣ ଅର୍ଥନୀତି, ଛୋଟ ବ୍ୟବସାୟ ଏବଂ ସାଧାରଣ ଲୋକଙ୍କ କ୍ରୟ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇବ । ବସ୍ ମାଲିକମାନଙ୍କ ପରିଚାଳନା ଖର୍ଚ୍ଚ, ଡିଜେଲ୍, ଟାୟାର, ଲୁବ୍ରିକାଣ୍ଟ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି ସମ୍ପର୍କିତ ସମସ୍ୟାକୁ ଅଣଦେଖା କରାଯାଇପାରିବ ନାହିଁ । କିନ୍ତୁ ଏହି ସମସ୍ତ ଖର୍ଚ୍ଚର ଭାର ସିଧାସଳଖ ଯାତ୍ରୀଙ୍କ ଉପରେ ଲଦିଦେବା ଉଚିତ ନୁହେଁ । ସରକାର କେବଳ ଭଡ଼ା ବୃଦ୍ଧି କରି ନିଜ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ । ସିଆଇଟିୟୁ ଜନସାଧାରଣଙ୍କ ପାଇଁ ସୁଲଭ, ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଯାତ୍ରୀ ପରିବହନ ସେବା ଉପଲବ୍ଧ କରାଇବା ସରକାରଙ୍କ ମୌଳିକ ଦାୟିତ୍ୱ । ଲୋକଙ୍କ ଆୟ ଓ ଜୀବନଯାପନର ବାସ୍ତବ ସ୍ଥିତିକୁ ବିଚାର ନକରି ଭଡ଼ା ବୃଦ୍ଧି କରିବା ଜନସ୍ୱାର୍ଥର ପରିପନ୍ଥୀ । ସିଆଇଟିୟୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି ଯେ, ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଓ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ବସ୍ ଭଡ଼ା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସାଧାରଣ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ ବୋଝ ଲଦିବା ପରିବର୍ତ୍ତେ ସେମାନଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଦିଗରେ ସରକାର ଧ୍ୟାନ ଦିଅନ୍ତୁ । ଦରଦାମ୍ ବୃଦ୍ଧିରେ ଜନସାଧାରଣ ଅତିଷ୍ଠ ଥିବାବେଳେ ବସ୍ ଭଡ଼ା ବୃଦ୍ଧି ହେଉଛି ବୋଝ ଉପରେ ନଳିତା ବିଡ଼ା । ଜନସାଧାରଣଙ୍କ ସ୍ୱାର୍ଥରେ ଏହି ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ଆଜିର ବିକ୍ଷୋଭରେ ବକ୍ତାମାନେ ଦାବି କରିବା ସହିତ ଆଗାମୀ ଦିନରେ ସରକାର ଏହାକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ ।