
ମୟୂରଭଞ୍ଜ, (କେପିଏନ୍ଏସ୍) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଆର୍ଆଣ୍ଡବି ସବ୍ଡିଭିଜନ୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି । ତାଙ୍କର ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏକାସଙ୍ଗେ ତଲାସି ଚାଲିଛି । ଏହି ଚଢ଼ାଉରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି । ଜଣେ ଏଏସ୍ପି, ୪ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ତଲାସି ଅଭିଯାନରେ ସାମିଲ ଅଛନ୍ତି । ଚଢ଼ାଉ ସମୟରେ ଅରବିନ୍ଦ ମହାନ୍ତିଙ୍କ ଘର, କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଯାଞ୍ଚ ଜାରି ରହିଛି । ତଲାସି ଶେଷ ହେବା ପରେ ତାଙ୍କ ସମ୍ପତ୍ତି ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି ।