ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଅଭିଯୋଗ ମନରେଗା ଯୋଜନାରେ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ମଙ୍ଗଳବାର ଲୁହାସିଂହା ପଞ୍ଚାୟତର କଦଳୀଝରଣ ଗ୍ରାମର କିଛି ମନରେଗା ଶ୍ରମିକ ଖପ୍ରାଖୋଲ ବିଡ଼ିଓଙ୍କୁ କାମ କରି ଟଙ୍କା ନ ପାଇବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କଦଳୀ ଝରଣ ଗ୍ରାମରେ ଥିବା ଭାଲୁପତରାରେ ଏକ ନୂତନ ଟ୍ୟାଙ୍କ ନିର୍ମାଣରେ ଗ୍ରାମର ମନରେଗା ଶ୍ରମିକ କାମ କରିଥିଲେ । ହେଲେ ଉକ୍ତ କାମରେ ଶ୍ରମିକମାନେ କାମ କରିଥିବା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନ ଥିବା ବେଳେ ଭାଲୁପତରା ଟ୍ୟାଙ୍କ କାମର ୮,୨୩,୯୫୨/- ଲକ୍ଷ ଟଙ୍କା ସରିଯାଇଥିବା ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଯେ ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ସେମାନେ କାମ ବନ୍ଦ କଲାପରେ ୧୨ଦିନର ମଜୁରୀ ପାଇବା ପରେ ପୁଣି ୧୨ଦିନର ମଜୁରୀ ପାଇ ନଥିଲେ । ଏହା ପରେ କାମଟିକୁ ବନ୍ଦ କରାଯାଇଥିବା କହିଛନ୍ତି । ଏନେଇ ଗାଁ ସାଥି ଘନଶ୍ୟାମ ସାହୁଙ୍କୁ ଭେଟିବାରୁ ଆମକୁ ଦେଖି ଜରୁରୀକାମ ଅଛି କହି ପଳାଇଗଲେ । ତେବେ ଗାଁର ଶ୍ରମିକ ମାନଙ୍କ କହିବା ଅନୁଯାୟୀ ଏହି କାମରେ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏବଂ ଏଡିଇଓ ଭରତ ଛତ୍ରିଆ ମିଶି ଗୋଟିଏ ଫାଇଲ ଆତ୍ମସାତ କରିଛନ୍ତି ବୋଲି କହୁଛନ୍ତି । ଏନେଇ ଖପ୍ରାଖୋଲ ବିଡିଓ ଵିବେକାନନ୍ଦ ଷଡ଼ଙ୍ଗୀ ଅଭିଯୋଗ ଜାଣିବା ପରେ ଘଟଣାର ତଦନ୍ତ କରିବାକୁ ଶ୍ରମିକମାନଙ୍କୁ ଦୁଇଦିନ ସମୟ ମାଗିଛନ୍ତି ।