csstore

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ କଂଗ୍ରେସର ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ବରଗଡ ଜିଲ୍ଲା ବରପାଲି ସରକାରୀ ଡାକ୍ତରଖାନା ଉପରେ ବରପାଲି ବ୍ଲକ ବ୍ୟତୀତ ରାମପୁର, ଡୁଙ୍ଗୁରିପାଲି, ବିଜେପୁର ଆଦି ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି । ଏଠାରେ ଆଉଟ୍ ଡୋର ରୋଗୀ ସଂଖ୍ୟା ପ୍ରାୟ ଏକ ହଜାରରୁ ଅଧିକ ହୋଇଥିବା ବେଳେ ଏଠାରେ ସ୍ଥାୟୀ ଡାକ୍ତର ନାହାନ୍ତି । ଯେଉଁ ବିଶେଷଜ୍ଞ ଡାକ୍ତର ଡେପୁଟେଶନରେ ଆସିଛନ୍ତି କେହି ଠିକ୍‌ରେ ଡ୍ୟୁଟି କରୁନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି । ଏବେ ବର୍ଷା ଦିନ ପାଇଁ ଥଣ୍ଡା ଜ୍ଵର, ଝାଡ଼ା, ଭାଇରାଲ ଫିଭର୍ ରୋଗୀ ସଂଖ୍ୟା ଅହେତୁକ ଭାବରେ ବଢ଼ି ଯାଇଥିବା ବେଳେ ଡ଼ାକ୍ତର ଅଭାବରୁ ରୋଗୀ ନିରାଶ ହୋଇ ବାଧ୍ୟରେ ଘରୋଇ ଚିକିତ୍ସା କରୁଛନ୍ତି । କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଶିଶୁ ରୋଗ ବିଶେଷଜ୍ଞଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଏଠାରେ ଅବସ୍ଥାପିତ ଶିଶୁ ରୋଗ ବିଶେଷଜ୍ଞ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇ ଘରେ ଚିକିତ୍ସା କରୁଥିବାର ଅଭିଯୋଗ କରିଛନ୍ତି । ଏନେଇ କଂଗ୍ରେସ ଦଳର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଠଙ୍କ ନେତୃତ୍ଵରେ ବରଗଡ଼ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଉପଜିଲ୍ଲାପାଳଙ୍କୁ ପ୍ରଦାନ କରି ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ସହ ଏଠାରେ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ଦାବୀ କରିଛନ୍ତି । ଏହାର ତୁରନ୍ତ ସମାଧାନ କରାନଗଲେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସେଠ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.