ଆଇଡିଏମ ପବ୍ଲିକ ସ୍କୁଲରେ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖୁଜେନପାଲି ସ୍ଥିତ ଆଇଡିଏମ ପବ୍ଲିକ ସ୍କୁଲରେ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ବଲାଙ୍ଗିର ସଦର ଥାନରେ ଅଭିଯୋଗ ହୋଇଛି । ଅଭିଭାବକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଖୁଜେନପାଲି ସ୍ଥିତ ଆଇଡିଏମ ଛାତ୍ରାବାସରେ ଛାତ୍ର ଜ୍ୟୋତିର୍ମୟ ଦାସ(୧୩)ଙ୍କୁ ଗତ ୧୨ ତାରିଖ ଦିନ ରାତି ୮ଟାରୁ ୯ଟା ସମୟ ମଧ୍ୟରେ ସ୍କୁଲ ଡାଇରେକ୍ଟର ଆକସ୍ମିକ ଭାବେ ଆକ୍ରମଣ କରିଥିଲେ । ଫଳରେ ଛାତ୍ରଙ୍କ କାନରୁ ରକ୍ତସ୍ରାବ ହୋଇଥିଲା । ଗତ ୧୬ ତାରିଖ ଦିନ ଛାତ୍ର ଜ୍ୟୋତିର୍ମୟଙ୍କ ପିତା ଉମେଶ ଚନ୍ଦ୍ର ଦାସ ପୁଅକୁ ଭେଟିବାକୁ ଆଇଡିଏମ ଛାତ୍ରାବାସକୁ ଆସି ଏହି ଘଟଣା ସମ୍ପର୍କରେ ଅବଗତ ହେବା ସହ ପୁଅକୁ ଡାକ୍ତରଖାନାରେ ଦେଖାଇଥିଲେ । ତେବେ ପୁଅର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲରୁ ପୁଅକୁ ନେଇ ଆସି ସାର୍ଟିଫିକେଟ ଆଣି ପକାଇବାରୁ ଛାତ୍ରର କେରିଅର୍‌ ବର୍‌ବାଦ୍ କରିଦେବି ବୋଲି ସ୍କୁଲ ଡାଇରେକ୍ଟର ଧମକ୍‌ ଦେଇଥିବା ଛାତ୍ରଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସ୍କୁଲ ଡାଇରେକ୍ଟର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.