ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧାନ ବିକ୍ରି କରିବାକୁ ଆସିଥିବା ଚାଷୀଙ୍କୁ ପ୍ୟାକ୍ସ ସେକ୍ରେଟାରୀ ମାଡ ମାରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଆଜି ଅପରାହ୍ଣରେ ସ୍ଥାନୀୟ ସାମ୍ବାଦିକ ଭବନରେ କୃଷକ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମାଡ ଖାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଖୁସିରାମ ମହାଖୁଡ ଘାଗୁର୍ଲି ପ୍ୟାକ୍ସ ଅଧିନସ୍ଥ ଜଣେ କ୍ଷୁଦ୍ର ଚାଷୀ । ଟୋକନ ପାଇବା ପରେ ଚାଷୀ ଖୁସିରାମ ପ୍ୟାକ୍ସ ସେକ୍ରେଟାରୀ ମହେଶ ପ୍ରସାଦ ପାଣିଗ୍ରାହୀଙ୍କୁ ତିନି ଚାରି ଥର ଭେଟି ଧାନ କେବେ ଆଣିବେ ବୋଲି ପଚାରି ଥିଲେ । କିନ୍ତୁ ସେକ୍ରେଟାରୀ କୌଣସି ସଠିକ୍‌ ତାରିଖ ନ କହିବାରୁ ୭ ଦିନର ମିଆଦ ସମାପ୍ତ ହୋଇଯିବ ଭାବି ଗତ ୨୪ ତାରିଖ ଦିନ ଚାଷୀ ଖୁସିରାମ ପ୍ୟାକ୍ସକୁ ଧାନ ନେଇ ଆସିଥିଲେ । ପ୍ୟାକ୍ସ ସେକ୍ରେଟାରୀ ତାଙ୍କୁ ଧାନ ଫେରାଇ ନେବାକୁ କହିବାରୁ ସେ ସେହି ଦିନ ଧାନ ଫେରାଇ ନେଇଥିବା ବେଳେ ତା’ପରଦିନ ପୁଣି ପ୍ୟାକ୍ସକୁ ଧାନ ଆଣିଥିଲେ । ତେବେ ସେକ୍ରେଟାରୀ ଖୁସିରାମଙ୍କୁ ୨ ହଜାର ଟଙ୍କା ଦେଲେ ଧାନ ରଖାଯିବ ବୋଲି କହିଥିଲେ । ଏଥିରେ ଚାଷୀ ଖୁସିରାମ ରାଜି ହୋଇନଥିଲେ । ଏତିକିରେ ସେକ୍ରେଟାରୀ ଖୁସିରାମଙ୍କୁ ଉତ୍‌କ୍ଷିପ୍ତ ହୋଇ ପ୍ରବଳ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଖୁସିରାମ ବେଲପଡା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଚାଷୀ ଖୁସିରାମଙ୍କ ଅଭିଯୋଗ ପରେ ପାଟଣାଗଡ ଏସିଏସ୍‌ଓ, ବେଲପଡା ଅତିରିକ୍ତ ତହସିଲଦାର ଗତ ୨୬ ତାରିଖ ଦିନ ଘାଗୁର୍ଲି ପ୍ୟାକ୍ସକୁ ଯାଇ ତଦନ୍ତ କରିଥିବା ବେଳେ ଚାଷୀ ଖୁସିରାମଙ୍କ ଧାନ ଗୋଦାମରେ ରଖାଯାଇଥିଲା ।

ଉପରୋକ୍ତ ଘଟଣାକୁ ନେଇ କୃଷକ ସେନା ପକ୍ଷରୁ ସଭାପତି ସୌରୀ କୁମାର ସାହୁଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଠାରେ ଧାନ ମଣ୍ଡିଗୁଡିକରେ ୫ରୁ ୧୦ କେଜି ଧାନ କଟନୀ ଛଟନୀକୁ ପ୍ରତିବାଦ କରାଯାଇଛି । ଜାଣିଶୁଣି ପ୍ୟାକ୍ସ ସମ୍ପାଦକମାନେ ଟୋକନ ବିଭ୍ରାଟ କରି ଚାଷୀଙ୍କୁ ହଇରାଣ କରୁଥିବା ମଧ୍ୟ ଅଭିଯୋଗ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ସେନାର ସଭାପତି ସୌରୀ କୁମାର ସାହୁଙ୍କ ସହ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ ଓ ଚାଷୀ ଖୁସିରାମ ମହାଖୁଡ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 2 =