ଗ୍ରାମ ପଞ୍ଚାୟତ ପକ୍ଷରୁ ଠିକାରେ ଦିଆଯାଇ ସାରିଥିବା ଏକ ପୋଖରୀରୁ ମାଛ ମାରିନେବା ପାଇଁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ବିଡ଼ିଓ ଚିଠି କରିଥିବା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମ ପଞ୍ଚାୟତ ପକ୍ଷରୁ ଠିକାରେ ଦିଆଯାଇ ସାରିଥିବା ଏକ ପୋଖରୀରୁ ୭ ଦିନ ଭିତରେ ମାଛ ମାରିନେବା ପାଇଁ ଏକ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ପାଟଣାଗଡ଼ ବିଡ଼ିଓ ଚିଠି କରିଥିବା ବେଳେ ଏବେ ଠିକା ନେଇଥିବା ବ୍ୟକ୍ତି ଫଟାମୁଣ୍ଡାର ବିଜୟ ଆନନ୍ଦ ଦାଶ ଏ ସଂପର୍କରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପାଇଁ ଯାଇଥିଲେ ସୁଦ୍ଧା ଉପଜିଲ୍ଲାପାଳଙ୍କୁ ଆଜି ଭେଟି ପାରି ନଥିବା କହିଛନ୍ତି । ତେବେ ବିଜୟାନନ୍ଦ ଦାଶ କହିଛନ୍ତି ଯେ, ଗତ ୨୦ ତାରିଖ ଦିନ ଫଟାମୁଣ୍ଡା ଗାଁର ‘ଆମ୍‌ ବନ୍ଧ’କୁ ମାଛ ଚାଷ କରିବା ବାବଦରେ ନିଲାମରେ ସେ ତିନି ବର୍ଷ ପାଇଁ (ଆର୍ଥିକ ବର୍ଷ ୨୦୨୦-୨୩ ପର୍ଯ୍ୟନ୍ତ) ନେଇ ପ୍ରଥମ କିସ୍ତି ବାବଦକୁ ୨ ଲକ୍ଷ ୨୫ ହଜାର ୭୫୦ଟଙ୍କା ଗ୍ରାମ ପଞ୍ଚାୟତରେ ଜମା କରିଛନ୍ତି । ନିଲାମରେ ନେବା ପରେ ସେ ଏହି ବନ୍ଧରେ ମାଛ ଯାଆଁଳା ମଧ୍ୟ ଛାଡ଼ି ସାରିଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜନୈତିକ ଚାପରେ ପଡ଼ି ବିଡ଼ିଓ ମହାଶୟ ୨୦୧୯-୨୦ରେ ସଂପୃକ୍ତ ବନ୍ଧକୁ ଠିକା ନେଇଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କୋଭିଡ-୧୯ ଯୋଗୁଁ ମାଛ ମାରି ପାରିନଥିବାରୁ ୭ ଦିନ ମଧ୍ୟରେ ସେଠାରୁ ମାଛ ମାରିନେବା ପାଇଁ ଆଦେଶ କରିଛନ୍ତି । ନିଲାମ୍‌ ହୋଇ ସାରିଥିବା ପୋଖରୀରୁ ମାଛ ମାରି ନେବା ପାଇଁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କେଉଁ ଆଇନ ବଳରେ ପାଟଣାଗଡ଼ ବିଡ଼ିଓ ଆଦେଶ କରିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଥିବା ବେଳେ ଏହି ଘଟଣା ଏବେ ଅଂଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.