jayashree

ସହକାରୀ ଗ୍ରନ୍ଥାଗାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିବତଲାରେ କାର୍ଯ୍ୟରତ ସହକାରୀ ଗ୍ରନ୍ଥାଗାରିକ ସେଠ୍‌ ବେହେରାଙ୍କୁ ଚାକିରୀରୁ ଅବସରଗ୍ରହଣ ହେତୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିବତଲାର ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟକ୍ଷ ଶ୍ରୀ ଯୋଷୀ ସହକାରୀ ଗ୍ରନ୍ଥାଗାରିକ ସେଠ୍‌ ବେହେରାଙ୍କ କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ଅମାୟିକ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ସେହିପରି ଅଧ୍ୟାପକ ବୀରେନ୍ଦ୍ର ଗଡ଼ୁଆ, ଅଧ୍ୟାପକ ସୁବତ୍ର ତ୍ରିପାଠୀ ଏବଂ ଅଧ୍ୟାପକ ଶତୃଘ୍ନ ସାହୁ ପ୍ରମୁଖ ଶ୍ରୀ ବେହେରାଙ୍କ କର୍ମମୟ ଜୀବନ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କ ଅବସରଗ୍ରହଣର ପରବର୍ତ୍ତୀ ଜୀବନଚର୍ଯ୍ୟା ସୁଖମୟ ହେଉ ବୋଲି କହିଥିଲେ । ଏହି ପରିପେକ୍ଷୀରେ ଅବସରଗ୍ରହଣ କରିଥିବା ଶ୍ରୀ ବେହେରାଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ସହ ସ୍ମାରକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ସବିତା ଦାସ ମାନପତ୍ର ପାଠ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଛାତ୍ରୀମାନେ ମଂଚାସୀନ ଅତିଥିମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନେ ମଧ୍ୟ ସହକାରୀ ଗ୍ରନ୍ଥାଗାରିକ ସେଠ୍‌ ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରିଥିଲେ । ଅଧ୍ୟାପକ ବିକାଶ ରଂଜନ ଜେନା ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ ଚକ୍ରଧର ମେହେର, ହରି ମେହେର, ସୁଶାନ୍ତ ବେହେରା, ଭାଗବତ ହୋତା ଓ ନୀଳମଣୀ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.