ଆଦିବାସୀ ନେତାଙ୍କୁ ଆକ୍ରମଣ ଘଟଣା : ୨ ଗିରଫ

ଟିଟିଲାଗଡ଼, (ଦେବାଶିଷ ମିଶ୍ର) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଉପଦେଷ୍ଟା ଦେବସିଂ ମାଝିଙ୍କୁ ହତ୍ୟା ଉଦ୍ୟମ କରି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଅପରାଧୀଙ୍କୁ ଗତକାଲି ଟିଟିଲାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଭୀମ ମହାକୁଡ଼ ଏବଂ ସୁରୁ ମହାକୁଡ଼କୁ ପୋଲିସ ଗିରଫ କରିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୪ ତାରିଖ ସନ୍ଦ୍ୟାରେ ଟିଟିଲାଗଡ଼ରୁ ମାଲିଝରକୁ ଫେରୁଥିବା ସମୟରେ ଅଭିଯୁକ୍ତ ମାନେ ଶ୍ରୀ ମାଝିଙ୍କୁ ଦଳବଦ୍ଧ ଭାବରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ । ଟାଙ୍ଗି, ଲୁହା ରଡ଼, ଟାଙ୍ଗିଆ ଦ୍ୱାରା ଶ୍ରୀ ମାଝିଙ୍କ ମୁଣ୍ଡରେ ଚୋଟ ମାରିଥିଲେ । ଗୋଡ଼, ପେଟ, ପିଠିରେ ହାଣି ଥିଲେ, ହାତ ଭାଙ୍ଗି ଦେଇଥିଲେ ଘଟଣା ସ୍ଥଳରେ । ଖବର ପାଇ ଶ୍ରୀ ମାଝିଙ୍କ ସ୍ତ୍ରୀ ନିର୍ମଳା ମାଝି, ଝିଅ ମିନୁ, ପୁଅ ରାହୁଲ ପହଂଚି ଥିଲେ । ଉକ୍ତ ମହିଳା ମାନଙ୍କୁ ମଧ୍ୟ ଅଭିଯୁକ୍ତ ଭୀଷ୍ମ ମହାକୁଡ଼, ବିନୋଦ ମହାକୁଡ଼, ନିରଞ୍ଜନ ମହାକୁଡ଼, ସୁରୁ ମହାକୁଡ଼, କୁଞ୍ଜ ମହାକୁଡ଼ ମାଡ଼ପିଟ, ଧସ୍ତାଧସ୍ତି, ଟଣାଓଟରା କରିଥିଲେ ବୋଲି ଶ୍ରୀ ମାଝିଙ୍କ ସ୍ତ୍ରୀ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଟିଟିଲାଗଡ଼ ଥାନା କେଶ ନଂ. ୪୨୭ ତା ୪.୧୧.୨୦୨୦ ଆଇପିସି ର ଦଫା ୩୦୭/୩୪୧/୨୯୪/୩୨୩/୩୨୪/୩୫୪/ ୫୦୬/୩୪ ଏବଂ ଏସଟି,ଏସସି ନିର୍ୟାତନା ନିବାରଣ ଆଇନର ଦଫା ୩.୧ (ଆର) (ଏସ ୩.୨ (ଭି.ଏ.)ରେ ମାମଲା ଦର୍ଜ କରି ଦୁଇଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ମୁମୂର୍ଷୁ ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲେ ।
ଏହାପରେ ଆଦିବାସୀ ସଙ୍ଘ ତରଫରୁ ଟିଟିଲାଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ତୀବ୍ର ନିନ୍ଦା କରି ଦୋଷୀମାନଙ୍କୁ ଚବିଶ ଘଣ୍ଟା ମଧ୍ୟରେ ଗିରଫ ଦାବୀ କରିଥିଲେ। ମୁଖ୍ୟ ଅଭିଯୁକ୍ତ ତିନିଜଣ ଙ୍କୁ ତୁରନ୍ତ ଗିରଫ କରିବାକୁ ସଙ୍ଘରୁ ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ ଦାବୀ କରିଛନ୍ତି ।

Leave A Reply

Your email address will not be published.