pakka

ଆଇଆଇଟି ହାଇଦ୍ରାବାଦକୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ : ବିଶ୍ୱରେ ଭାରତକୁ ଶିଖରରେ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ରୋଡ଼ମ୍ୟାପ୍‌ – ଧର୍ମେନ୍ଦ୍ର ପ୍ରଧାନ

• ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦଘାଟନ କଲେ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ହାଇଦ୍ରାବାଦ୍‌ ଏବଂ ଗ୍ରୀନକୋ ମଧ୍ୟରେ ଏମଓୟୁ
• ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ

ହାଇଦ୍ରାବାଦ/ଭୁବନେଶ୍ୱର, (ପିଆଇବି) : ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) ବିଶ୍ୱର ପରିବର୍ତିତ ଦୃଶ୍ୟପଟ୍ଟରେ ଭାରତକୁ ଶିଖରରେ ରଖିବା ପାଇଁ ଏକ ରୋଡ଼ମ୍ୟାପ୍‌ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ଆଇଆଇଟି ହାଇଦ୍ରାବାଦ ଠାରେ ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦ୍‌ଘାଟନ ସହ ବିଭିଆର୍‌ ମୋହନ ରେଡ୍ଡୀ ନବସୃଜନ ଏବଂ ଉଦ୍ୟମିତା ସ୍କୁଲର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରୀନକୋ ସ୍କୁଲ୍‌ ଅଫ୍‌ ସଷ୍ଟେନେବଲ ସାଇନ୍ସ ଏଣ୍ଡ୍‌ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଆଇଆଇଟି ହାଇଦ୍ରାବାଦ୍‌ ଏବଂ ଗ୍ରୀନକୋ ଗ୍ରୁପ୍‌ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।
ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏହି ସମୟରେ ଭାରତ କେବଳ ଏକ ଉପଭୋକ୍ତା ରାଷ୍ଟ୍ର ହୋଇ ରହିବ ନାହିଁ । ତେଣୁ ଆମକୁ ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ନୂତନ ମଡେ଼ଲ ଏବଂ ନବସୃଜନକୁ ଆପଣାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ଆମକୁ ସାକାର କରିବାକୁ ହେବ । ଦକ୍ଷତା ବିକାଶ ଆଜୀବନ ପ୍ରକିୟା ହୋଇଥିବାରୁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥା ସହ ଦକ୍ଷତା ବିକାଶକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଆଇଆଇଟି ହ୍ରାଇଦ୍ରାବାଦ୍‌ ଭାରତକୁ ବୈଶ୍ୱିକ ବ୍ରାଣ୍ଡ୍‌ ଭାବରେ ସ୍ଥାପିତ କରିବା ସହ ଅମୃତ କାଳ ସମୟରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅନୁଷ୍ଠାନ ସାମାଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଦିଗରେ ନିଜର ଭୂମିକାକୁ ପ୍ରତିପାଦିତ କରିବା ଦରକାର । ଆଇଆଇଟି ହାଇଦ୍ରାବାଦ୍‌ ଶିକ୍ଷା ପ୍ରଦାନ କରିବା ସହ ଦକ୍ଷତା ବିକାଶ ଓ ଉଦ୍ୟମୀ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଶିଳ୍ପ ବିପ୍ଳବ ୪.୦ ଓ ଏକବିଂଶ ଶତାବ୍ଦୀରେ ପରିବର୍ତିତ ରୋଜଗାର ସୁଯୋଗକୁ ଗୁରୁତ୍ୱ ଦେଇ ଆଇଆଇଟି ହାଇଦ୍ରାବାଦରେ ଏକ ବିଶ୍ୱମାନର ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରୋତ୍ସାହନ କରିଛନ୍ତି । ଏହାସହ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭାରତୀୟ ଭାଷା ବିବିଧତାର ପ୍ରଚାରପ୍ରସାର କରିବା ପାଇଁ ସେ କହିଛନ୍ତି ।

Leave A Reply

Your email address will not be published.

thirteen − 4 =