ଦେଶ ପାଇଁ ୪୦,୦୦୦ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ : ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ ସଫଳତା

ଦିଲ୍ଲୀ, (ପିଆଇବି) : ସ୍ୱାଧୀନତାର ୭୫ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ଦେଶର ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ କରାଯାଇଛି ।
୫୦,୦୦୦ ଅମୃତ ସରୋବର ନିର୍ମାଣର ଏକ ଲକ୍ଷ୍ୟ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଶେଷ ହେବାକୁ ସ୍ଥିର ହୋଇଥିଲା । ୧୧ ମାସର ସ୍ୱଳ୍ପ ଅବଧି ମଧ୍ୟରେ, ଏପର୍ଯ୍ୟନ୍ତ ୪୦,୦୦୦ ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇସାରିଛି, ଯାହା ମୋଟ ଲକ୍ଷ୍ୟର ୮୦% ଅଟେ ।

‘ଜନ ଭାଗିଦାରୀ’ ଏହି ମିଶନର ମୂଳ ହୋଇ ରହିଆସିଛି ଏବଂ ସବୁ ସ୍ତରରେ ଲୋକଙ୍କ ଅଂଶଗ୍ରହଣକୁ ଜଡିତ କରିଛି । ପ୍ରତ୍ୟେକ ଅମୃତ ସରୋବର ପାଇଁ ଏପର୍ଯ୍ୟନ୍ତ ୫୪୦୮୮ ଉପଭୋକ୍ତା ଗୋଷ୍ଠୀ ଗଠନ କରାଯାଇଛି । ଏହି ଉପଭୋକ୍ତା ଗୋଷ୍ଠୀଗୁଡ଼ିକ ଅମୃତ ସରୋବରର ବିକାଶର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ସବୁ ଦିଗରୁ ଯଥା, ଉପାଦେୟତା ମୂଲ୍ୟାଙ୍କନ, କାର୍ଯ୍ୟ ଆରମ୍ଭ କରିବା ଏବଂ ଏହାର ଉପଯୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟା ଇତ୍ୟାଦି ସହିତ ସଂଲଗ୍ନ ରହିବ । ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ନିର୍ଦ୍ଦିଷ୍ଟ ଅମୃତ ସରୋବର ସ୍ଥଳୀ ଗୁଡିକରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା, ୨୬ ଜାନୁଆରୀ ଏବଂ ୧୫ ଅଗଷ୍ଟ ପରି ଗୁରୁତ୍ୱପୂର୍ଣ୍ଣ ତାରିଖରେ ପତାକା ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ବରିଷ୍ଠ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀ ତଥା ସହିଦଙ୍କ ପରିବାର ସଦସ୍ୟ, ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରୁଛନ୍ତି । ଏହି ମିଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୮୪ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ୧୮, ୧୭୫ ବୟସ୍କ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ୪୪୮ ସଦସ୍ୟ, ସହିଦ ପରିବାରର ୬୮୪ ସଦସ୍ୟ ଏବଂ ୫୬ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି ।

ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ମିଶନ ଅମୃତ ସରୋବର ଗ୍ରାମାଞ୍ଚଳର ଜୀବିକା ବୃଦ୍ଧି କରୁଛି , କାରଣ ଜଳସେଚନ, ମତ୍ସ୍ୟ ଚାଷ, ବତକ ଚାଷ, ପାଣି ସିଙ୍ଗଡା ଚାଷ ଏବଂ ପଶୁ ପାଳନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ସମ୍ପନ୍ନ ସରୋବର ମାନଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୬୬% ଉପଭୋକ୍ତା ସମୂହ କୃଷି, ୨୧% ମତ୍ସ୍ୟ ଚାଷରେ, ୬% ପାଣି ସିଙ୍ଗଡା ଏବଂ ପଦ୍ମ ଚାଷରେ ଜଡିତ ଏବଂ ୭% ଗୋଷ୍ଠୀ ପଶୁପାଳନ ସହିତ ଜଡିତ ଅଛନ୍ତି । ଏହି କାର୍ଯ୍ୟକଳାପ ଗୁଡିକ ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ପ୍ରତ୍ୟେକ କୌଣସି ନା କୌଣସି ଅମୃତ ସରୋବର ସହିତ ଜଡିତ ।

Leave A Reply

Your email address will not be published.

1 × five =