pakka

ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା

• ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଏନଏପିଏସ ଯୋଜନାର ଶୁଭାରମ୍ଭ
• ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଆଜି ଜାତୀୟ ଆପ୍ରେଣ୍ଟିସସିପ୍ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର ଅଂଶବିଶେଷ ଭାବେ ଏନଏପିଏସ ସ୍କିମ୍ ମାଧ୍ୟମରେ ସବୁ ଆପ୍ରେଣ୍ଟିସମାନଙ୍କୁ ସରକାରଙ୍କ ପକ୍ଷରୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏଥିପୂର୍ବରୁ କମ୍ପାନୀମାନେ ଆପ୍ରେଣ୍ଟିସ୍ ବା ବୃତ୍ତିଗତ ପ୍ରଶିକ୍ଷାର୍ଥୀମାନଙ୍କୁ ପାରିଶ୍ରମିକ ବାବଦ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଥିଲେ ଏବଂ ଏହାପରେ ସରକାରଙ୍କ ଠାରୁ ଆର୍ଥିକ ପରିଶୋଧ ଦାବି କରୁଥିଲେ । ଏବେ ଡିବିଟି ଯୋଜନା ଆରମ୍ଭ ହେବା ପରେ ସରକାର ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ଜରିଆରେ ସିଧାସଳଖ ଆପ୍ରେଣ୍ଟିସମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥରାଶି ହସ୍ତାନ୍ତର କରିବେ । ସେମାନଙ୍କୁ ୧୫୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡର ୨୫% ପ୍ରତିଶତ ପ୍ରଦାନ କରାଯିବ ।
ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି । ଜାତୀୟ ଆପ୍ରେଣ୍ଟିସସିପ ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ, ପ୍ରଥମ ପର୍ଯ୍ୟାୟରେ ଆପ୍ରେଣ୍ଟିସମାନଙ୍କୁ ଡିବିଟି ଜରିଆରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଷ୍ଟାଇପେଣ୍ଡ ବାବଦ ସବସିଡି ପଠାଯାଇଛି । ଏହା କେବଳ ଆପ୍ରେଣ୍ଟିସସିପ ବା ବୃତ୍ତିଗତ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବ ନାହିଁ ବରଂ ସ୍କିଲ ଇଣ୍ଡିଆର ବାସ୍ତବ ସମ୍ଭାବନାକୁ ସାକାର କରିବା ଦିଗରେ ସହାୟକ ସାବ୍ୟସ୍ତ ହେବ ।
ଯୁବ ଭାରତକୁ ସ୍କିଲ (କୁଶଳୀ), ରିସ୍କିଲ୍ (ପୁନଃକୁଶଳୀ) ଏବଂ ଅପସ୍କିଲ (ଅତିରିକ୍ତ କୁଶଳୀ) କରିବା ଲାଗି, ମୁଣ୍ଡପିଛା ଆର୍ଥିକ ଉତ୍ପାଦନ ବଢ଼ାଇବା ଏବଂ ଜାତୀୟ ମିଶନକୁ ସହାୟତା ଯୋଗାଇ ଦେବା ଆପ୍ରେଣ୍ଟିସସିପକୁ ଏକ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଜରୁରି । ଏହା ପ୍ରଶିକ୍ଷାର୍ଥୀମାନଙ୍କୁ ବାସ୍ତବ-ସମୟରେ ଶିଳ୍ପ ପରିବେଶ ଯୋଗାଇ ଦେବା ସହିତ ପ୍ରଶିକ୍ଷଣ ସମୟରେ ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବ । ସରକାର, ବ୍ୟବସାୟିକ ସଂସ୍ଥା ଏବଂ ଶିକ୍ଷା ବ୍ୟବସ୍ଥାର ସହଭାଗିତାରେ ଦୀର୍ଘସ୍ଥାୟୀ କୌଶଳ ବିକାଶ ରଣନୀତି ସୃଷ୍ଟି କରିବା ଜରିଆରେ ଏହା ସ୍କିଲ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରିବ । ଦକ୍ଷତା ବିକାଶର ଏଭଳି ଦୀର୍ଘସ୍ଥାୟୀ ମଡେଲ ଜରିଆରେ ଯୁବବର୍ଗଙ୍କ ରୋଜଗାର କ୍ଷମତା ବଢ଼ାଇବା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ଏମଏସଡିଇ ଲକ୍ଷ୍ୟ ରଖିଛି ।
ଦେଶରେ ଆପ୍ରେଣ୍ଟିସସିପ୍ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଆପ୍ରେଣ୍ଟିସସିପକୁ ଗ୍ରହଣ କରୁଥିବା ପ୍ରତିଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ନେଇ ୧୯ ଅଗଷ୍ଟ, ୨୦୧୬ରେ ଜାତୀୟ ଆପ୍ରେଣ୍ଟିସସିପ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦେବା ଲାଗି ନିଯୁକ୍ତିଦାତାମାନଙ୍କୁ ଉତ୍ସାହିତ କରିବା ଏବଂ ଉପଯୁକ୍ତ କୌଶଳ ବିକାଶ ଜରିଆରେ ପ୍ରଶିକ୍ଷାର୍ଥୀମାନଙ୍କୁ ସଠିକ ନିଯୁକ୍ତି ଭୂମିକାରେ ଅବତୀର୍ଣ୍ଣ କରାଇବା । ବର୍ତ୍ତମାନ ସୁଦ୍ଧା, ବିଭିନ୍ନ ଶିଳ୍ପ ସଂସ୍ଥାରେ ୧୨ ଲକ୍ଷରୁ ଅଧିକ ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦିଆଯାଇଛି ।
କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆପ୍ରେଣ୍ଟିସସିପ୍ କ୍ଷେତ୍ରରେ ସରକାର ବିଭିନ୍ନ ସଂସ୍କାର ଆଣିଛନ୍ତି । ଏହାଦ୍ବାରା ଭାରତକୁ ‘ବିଶ୍ବ କୌଶଳ ବିକାଶ କେନ୍ଦ୍ର’ରେ ପରିଣତ କରିବାର ସ୍ବପ୍ନ ସାକାର ହେବା ନିମନ୍ତେ ପଥ ପରିଷ୍କାର ହେଉଛି । ଏସବୁ ଯୋଜନାର ପରିସରକୁ ଆଗାମୀ ଦିଗରେ ଆହୁରି ବୃଦ୍ଧି କରାଯିବ ଏବଂ ଡିବିଟି ମାଧ୍ୟମରେ ସବୁ ଚୁକ୍ତିନାମା କାର୍ଯ୍ୟକାରୀ କରାଯିବ ।

Leave A Reply

Your email address will not be published.

11 + five =