ବାବରୀ ମସ୍‌ଜିଦ୍‌ ଧ୍ୱଂସ ମାମଲା : ଆଡ଼ଭାନୀ, ଜୋଷୀ, କଲ୍ୟାଣ ସିଂହ ସମେତ ୩୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଲଖ୍‌ନଉ : ୨୮ ବର୍ଷ ପୁରୁଣା ବାବ୍‌ରୀ ମସ୍‌ଜିଦ ଧ୍ୱଂସ ମାମଲାରେ ଲଖ୍‌ନଉ ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତର ଜଜ୍‌ ସୁରେନ୍ଦ୍ର କୁମାର ଯାଦବ ଆଜି ଶୁଣାଣି କରିଛନ୍ତି । ଏହି ମାମଲାରେ ପେସ୍‌ କରାଯାଇଥିବା ସମସ୍ତ ପ୍ରମାଣକୁ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରିନାହିଁ କୋର୍ଟ । ୨୩୦୦ ପୃଷ୍ଠା ବିଶିଷ୍ଟ ଶୁଣାଣିରେ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ବାବ୍‌ରୀ ମସ୍‌ଜିଦ୍‌ ଭଂଗା ଘଟଣାରେ ବିଶ୍ୱ ହିନ୍ଦୁ ପରିଷଦର କୌଣସି ଭୂମିକା ନାହିଁ । ବରଂ କିଛି ଅସାମାଜିକ ତତ୍ତ୍ୱ ପଛପଟୁ ପଥର ଫୋପାଡ଼ି ଥିଲେ ଏବଂ ଭଂଗାରୁଜା ଘଟଣାରେ ମଧ୍ୟ କିଛି ଏଭଳି ଅସାମାଜିକ ବ୍ୟକ୍ତିଙ୍କ ହାତ ଥିଲା । ତେବେ ବରିଷ୍ଠ ବିଜେପି. ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଷୀ, କଲ୍ୟାଣ ସିଂହଙ୍କ ସହ ୩୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି ।
ସୂଚନାଯୋଗ୍ୟ ଯେ, ୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍‌ରୀ ମସ୍‌ଜିଦ୍‌ ଭଂଗା ଯାଇଥିଲା । ୨୮ ବର୍ଷ ପରେ ଏହି କେସ୍‌ର ଶୁଣାଣି ଆଜି ହୋଇଛି । ଶୁଣାଣି ସମୟରେ କୋର୍ଟ ପକ୍ଷରୁ ଏହା ବି କୁହାଯାଇଛି ଯେ, ଏହି ଘଟଣା ପୂର୍ବ ନିର୍ଦ୍ଧାରିତ ନଥିଲା । ଯାହା ଘଟିଛି, ଅଚାନକ୍‌ ଘଟିଛି । ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି, ସେମାନେ ମସ୍‌ଜିଦ୍‌ ନଭାଂଗିବା ପାଇଁ ପ୍ରୟାସ କରିଥିଲେ । ତେବେ ଶୁଣାଣି ପରେ ବିଜେପି.ର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ‘ଜୟ ଶ୍ରୀରାମ’ ନାରା ଦେଇଥିବା ବେଳେ ଆଜି ଖୁସିର ଦିନ ବୋଲି ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.