କାମ୍ପା ଯୋଜନାର ନର୍ସରୀ କାମରେ ମଜୁରିଆଙ୍କୁ ମିଳିନି ମଜୁରୀ : ଶତାଧିକ ମଜୁରିଆ ଘେରିଲେ ରେଂଜର୍‌ଙ୍କ କାର୍ଯ୍ୟାଳୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ର କମେଇମୁଣ୍ଡା, ହିଆଁଲ ଓ ଖଗସା ପଞ୍ଚାୟତର ଝରଣିପଦର, ରହେନ୍‌ଭଟା, ତୁଷାମୁଣ୍ଡା, ପାଟିମାଲ ଓ ସଲଣ୍ଡି ଗାଁର ଶତାଧିକ ଦିନ ମଜୁରିଆ କାମ୍ପା ଯୋଜନାରେ କଂଟାବାଂଜି ଫରେଷ୍ଟ ରେଂଜ୍‌ ଅଧୀନରେ ନର୍ସରୀ ଗାତ ଖୋଳିବା, ଚାରା ରୋପଣ ଓ ପାଣି ଦେବା କାମ ଗତ ଜୁନ୍‌ ମାସରୁ କରିଥିଲେ । କିନ୍ତୁ ସେମାନଙ୍କୁ ତାଙ୍କ ମଜୁରୀ ବାବଦରେ ଲକ୍ଷାଧିକ ଟଙ୍କା ସଂପୃକ୍ତ ରେଂଜର୍‌ ଦେଇ ନଥିବା ଅଭିଯୋଗ କରି ଆଜି ଶତାଧିକ ଦିନ ମଜୁରିଆ ଶ୍ରମିକ ରେଂଜର୍‌ଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି । ତେବେ ଶ୍ରମିକମାନଙ୍କ ଘେରାଉ ସମୟରେ ରେଂଜର୍‌ ମହାଶୟ ପଦାକୁ ନ ବାହାରି ଘରେ ଛପି ରହିଥିବା ମଧ୍ୟ କୁହାଯାଇଛି । ଫଳରେ ଦିନ ମଜୁରିଆମାନେ ବଲାଙ୍ଗିର ଏସିଏଫ୍‌ଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ । ତେବେ ଏସିଏଫ୍‌ ଫୋନ୍‌ ମାଧ୍ୟମରେ ଅଭିଯୋଗର ତଦନ୍ତ କରିବା ସହ ସେମାନଙ୍କୁ ପାଉଣା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଇତିମଧ୍ୟରେ ଯେଉଁ ଫରେଷ୍ଟର୍‌ଙ୍କ ଦ୍ୱାରା ଏହି କାମ ଶ୍ରମିକମାନେ କରିଥିଲେ, ତାଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିବା ଯୋଗୁଁ ଏଥିରେ ବିଭାଗୀୟ ସଂପୃକ୍ତି ରହିଥିବା ସଂଦେହ କରିଛନ୍ତି ଶ୍ରମିକମାନେ । ତେବେ ତାଙ୍କ ପାଉଣା ନ ମିଳିଲେ ଆହୁରି ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଶ୍ରମିକମାନେ କହିଛନ୍ତି ।

Leave A Reply

Your email address will not be published.