କୋଭିଡ-୧୯ ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁଲା ଭାରତ

● କ୍ରମାଗତ ଦୁଇ ଦିନ ୧୧.୭୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା
● ଅଧିକ ପରୀକ୍ଷଣ ସତ୍ତ୍ୱେ ଦୈନିକ ଓ ସମୁଦାୟ ସଂକ୍ରମିତ ହାର ୭.୫ ଓ ୮.୫ ପ୍ରତିଶତରୁ କମ

ନୂଆଦିଲ୍ଲୀ, (ପିଆଇବି) : ଦୈନିକ ୧୦ ଲକ୍ଷରୁ ଅଧିକ ପରୀକ୍ଷଣ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପରେ, କ୍ରମାଗତ ଭାବେ ଦୁଇ ଦିନ ଧରି ଭାରତ କୋଭିଡ-୧୯ର ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁବା ଜାରି ରଖିଛି । କ୍ରମାଗତ ଭାବେ ଏହି ଦୁଇ ଦିନରେ ସାରା ଦେଶରେ ୧୧.୭୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୬୯,୭୬୫ ନମୁନା ପରୀକ୍ଷା କରାଯାଇଥିଲା ।
ଅନ୍ୟ କୌଣସି ଦେଶ ଦୈନିକ ପରୀକ୍ଷଣର ଏହି ସ୍ତର ହାସଲ କରିନାହାଁନ୍ତି ।
ଦୈନିକ ପରୀକ୍ଷଣରେ ଏହି ତୀବ୍ର ଅଭିବୃଦ୍ଧି ସହିତ ସମୁଦାୟ ପରୀକ୍ଷଣ ସଂଖ୍ୟା ପାଖାପାଖି ୪.୭ କୋଟିରେ ପହଞ୍ଚିଛି । ଏହି ସଂଖ୍ୟା ଆଜି ୪,୬୬,୭୯,୧୪୫ ଛୁଇଁଞ୍ଚି ।
ଏହିପରି ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଇଥିଲେ ମଧ୍ୟ ସଂକ୍ରମିତ ହାର ଓ ସମୁଦାୟ ସଂକ୍ରମିତ ହାର ଯଥାକ୍ରମେ ୭.୫ ଓ ୮.୫ ପ୍ରତିଶତ ତଳେ ରହିଛି । ଏହିସବୁ ସଫଳତା କେନ୍ଦ୍ର ନେତୃତ୍ଵରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ପ୍ରଭାବଶାଳୀ ଢଙ୍ଗରେ କରାଯାଇଥିବା ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତି ଯୋଗୁଁ ସମ୍ଭବ ହୋଇପାରିଛି ।
ବ୍ୟାପକ ସ୍ତରରେ ଅଧିକ ପରୀକ୍ଷଣ ସଅଳ ନିଦାନ, ତୁରନ୍ତ ଏକାନ୍ତବାସ ଓ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି ଯୋଗୁଁ ସମ୍ଭବ ହୋଇପାରିଛି । ପ୍ରଭାବଶାଳୀ ଚିକିତ୍ସା ଦ୍ଵାରା ଉଭୟ ଘରୋଇ ଏକାନ୍ତବାସ ଓ ହସ୍ପିଟାଲରେ ଚିକିତ୍ସିତ ସଂକ୍ରମିତଙ୍କ ତଦାରଖ ମୃତ୍ୟୁ ହାରକୁ କମ କରିପାରିଛି । ମୃତ୍ୟୁ ହାରକୁ ୧ ପ୍ରତିଶତରୁ କମ କରିବା ଲକ୍ଷ୍ୟରେ, ସ୍ଥିର ଏବଂ ସ୍ଥାୟୀ ହ୍ରାସ ପରେ ଭାରତର ମୃତ୍ୟୁହାର ୧.୭୪ ପ୍ରତିଶତରେ ପହଞ୍ଚିଛି ।
ପରୀକ୍ଷଣ ସ୍ତରରେ ଯଥେଷ୍ଟ ବୃଦ୍ଧି ସହିତ ଦେଶରେ ଦୈନିକ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ପରୀକ୍ଷାଗାର ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ବର୍ତ୍ତମାନ ୧୦୨୫ ସରକାରୀ ଓ ୬୦୬ ଘରୋଇ ଏହିଭଳି ଭାବେ ମୋଟ ୧୬୩୧ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

Leave A Reply

Your email address will not be published.