ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

● ଖାକି ପୋଷାକର ମର୍ୟ୍ୟାଦାକୁ ନଷ୍ଟ କରନାହିଁ – ପ୍ରଧାନମନ୍ତ୍ରୀ
● କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ସଭିଏଁ ଦେଖିଲେ ପୁଲିସ ଅଧିକାରୀଙ୍କ ମାନବିକତା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁବ ଭାରତୀୟ ପୁଲିସ ସେବା ଅଧିକାରୀମାନଙ୍କ ସହ ସେ ନିୟମିତ ମତ ବିନିମୟ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ ହୋଇପାରିନାହିଁ । କିନ୍ତୁ ମୋ କାର୍ୟ୍ୟକାଳ ମଧ୍ୟରେ ମୁଁ ନିଶ୍ଚିତ ସେମାନଙ୍କୁ ଭେଟିବି ବୋଲି କହିଛନ୍ତି । ଆଇପିଏସ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ତାଲିମ ସଫଳତାର ସହ ସଂପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ସେମାନଙ୍କ ପୋଷାକ ପାଇଁ ଗର୍ବିତ ହେବା ଆବଶ୍ୟକ । ତେବେ ପୋଷାକ ଦେଇଥିବା କ୍ଷମତା ପାଇଁ ନୁହଁ । ସେ କହିଛନ୍ତି, “କେବେବି ଖାକି ପୋଷାକର ମର୍ୟ୍ୟାଦା ହାନୀ ହେବାକୁ ଦେବା ନାହିଁ । ଖାକି ପୋଷାକର ମାନବୀୟ ମହତ୍ଵ କରୋନା ମହାମାରୀ କାଳରେ ଲୋକଙ୍କ ମାନସପଟରେ ଉଜ୍ଜୀବିତ ହୋଇଛି” ।
ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, “ଏପର୍ୟ୍ୟନ୍ତ ଆପଣମାନେ ସୁରକ୍ଷା ବାତାବରଣ ମଧ୍ୟରେ ଏଠାରେ ପ୍ରଶିକ୍ଷାର୍ଥୀ ଥିଲେ, ମାତ୍ର ଏକାଡେମିରୁ ବାହାରିବା ମାତ୍ରେ ରାତାରାତି ପରିସ୍ଥିତି ବଦଳି ଯିବ, ଆପଣମାନଙ୍କ ପ୍ରତି ଲୋକମାନଙ୍କ ଧାରଣା ମଧ୍ୟ ବଦଳିବ । ସେ ଦୃଷ୍ଟିରୁ ସତର୍କ ରୁହନ୍ତୁ, କାରଣ ପ୍ରଥମରୁ ସୃଷ୍ଟି ହେଉଥିବା ଧାରଣା ଶେଷ ପର୍ୟ୍ୟନ୍ତ ବଳବତ୍ତର ରହେ । ଆପଣମାନେ ଯେଉଁଆଡେ ବି ବଦଳି ହେବେ, ଆପଣଙ୍କ ମର୍ୟ୍ୟାଦା ଅକ୍ଷୁର୍ଣ୍ଣ ରହିବ” । ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଶସ୍ୟରୁ ଅଗାଡି ବାଛିବା ଶିଖିବା ପାଇଁ ପରାମର୍ଶ ଦେଇଥିଲେ । ସବୁକଥା ଶୁଣିଲେ ମଧ୍ୟ କେବଳ ଯୁକ୍ତିଯୁକ୍ତ ବିଷୟ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଯେତେବେଳେ ଯୁକ୍ତିଯୁକ୍ତ କଥା ମାନସପଟରେ ପ୍ରବେଶ କରିବ ସେତେବେଳେ ସବୁଯାକ ଅଳନ୍ଧୁ ଦୂର ହୋଇ ହୃଦୟ ନିର୍ମଳ ହେବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ସେମାନେ ସବୁବେଳେ ନିଜର କର୍ମସ୍ଥଳୀକୁ ଆପଣାର ମନେ କରନ୍ତୁ । ଜନସାଧାରଣଙ୍କୁ ଅନୁକମ୍ପା ପ୍ରଦର୍ଶନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅନୁକମ୍ପା ଦ୍ଵାରା ଲୋକଙ୍କ ହୃଦୟ ଜିତିବାର ଅନୁଭୂତି ସବୁଦିନ ପାଇଁ ମନେ ରହିବ, ଯାହା ଲୋକଙ୍କୁ ଭୟ ଦେଖାଇ ହାସଲ କରିହେବ ନାହିଁ । କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ପୁଲିସର ମାନବିକ ଦିଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଯେକୌଣସି ଅପରାଧିକ ସମସ୍ୟାର ସମାଧାନ ପାଇଁ କନଷ୍ଟେବଲ ସ୍ତରରୁ ଉପଲବ୍ଧ ଗୁଇନ୍ଦା ତଥ୍ୟକୁ ଅଗ୍ରାଧିକାର ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ବୈଶ୍ଵିକ ଜ୍ଞାନର ଅଧିକରୁ ଅଧିକ ଉପଯୋଗ ସତ୍ଵେ ତୃଣମୂଳସ୍ତରୀୟ ଗୁପ୍ତ ତଥ୍ୟକୁ ଅଣଦେଖା ନକରିବାକୁ ସେ ପରାମର୍ଶ ଦେଇଥିଲେ । କୃତ୍ରିମ ମେଧା ଓ ଅନ୍ୟାନ୍ୟ ତଥ୍ୟର କୌଣସି ଅଭାବ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଉପଲବ୍ଧ ସୂଚନା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ଗତ କିଛି ବର୍ଷ ମଧ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଜରୁରି କାଳରେ ଯେଭଳି ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଛନ୍ତି, ତାହା ପୁଲିସ ସେବାକୁ ଏକ ନୂତନ ସ୍ଵୀକୃତି ଦେଇଛି । ଏନଡିଆରଏଫ ଦଳକୁ ନିଜ ନିଜ ଅଞ୍ଚଳରେ ସଜାଗ ରଖି ପ୍ରାକୃତିକ ବିପର୍ୟୟ କାଳରେ ସେମାନଙ୍କ ସହାୟତା ନେବା ଲାଗି ପରାମର୍ଶ ଦେଇଥିଲେ । ତାଲିମର ମହତ୍ଵକୁ ସଦାସର୍ବଦା ଅଣଦେଖା ନକରି ତାଲିମକୁ ଏକ ଦଣ୍ଡନୀୟ ପୋଷ୍ଟିଂ ଭାବେ ବିବେଚନା ନକରିବାକୁ ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦିନ ଆଗରୁ ମିଶନ କର୍ମଯୋଗୀ ଶୁଭାରମ୍ଭ ହୋଇଛି । ବିଗତ ୭୦ ବର୍ଷ ମଧ୍ୟରେ ପ୍ରଶାସନିକ ସେବାରେ ସାମର୍ଥ୍ୟ ବୃଦ୍ଧି ପାଇଁ ଏହା କରାଯାଇଛି । ଏହା ନିଜର ଭୂମିକା ଓ କର୍ତ୍ତବ୍ୟ ସମ୍ପାଦନ ଉପରେ ଅଧିକ ଗୁରୁତ୍ଵ ଦେଇଛି । ଏହା ବୁଦ୍ଧିମାନ ବ୍ୟକ୍ତିକୁ ଉତ୍ତମ ତାଲିମ ଦେବା ସହ ଠିକ ଲୋକକୁ ଠିକ ଜାଗାରେ କାମ କରିବା ପାଇଁ ସୁଯୋଗ ଦେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆପଣମାନଙ୍କ କର୍ମ ଏପରି ଯାହାକି ଅନେକ ଅପ୍ରତ୍ୟାଶିତ ସମସ୍ୟାକୁ ସାମନା କରିବା ପାଇଁ ବାଧ୍ୟ କରିବ ଏବଂ ଆପଣମାନେ ସେଥିପାଇଁ ସତର୍କ ଓ ପ୍ରସ୍ତୁତ ରହିବା ଆବଶ୍ୟକ । ଏଥିରେ ମାନସିକ ଚାପର ଅଧିକ ସମ୍ଭାବନା ଥିବା ଦୃଷ୍ଟିରୁ ସବୁବେଳେ ନିଜର ଅନ୍ତରଙ୍ଗ ବ୍ୟକ୍ତିଙ୍କ ସହ ଆଳାପ ଆଲୋଚନା ଖୁବ ଗୁରୁତ୍ୱପୂର୍ଣ୍ଣ । ସମୟ ସମୟରେ ବା ନିଜର ଡ୍ୟୁଟି ନଥିବା ବେଳେ ଆପଣଙ୍କର ଶିକ୍ଷକ ହୁଅନ୍ତୁ ବା ଯାହାଠାରୁ କିଛି ଶିକ୍ଷଣୀୟ ବିଷୟ ଆହରଣ କରିପାରିବେ ସେମାନଙ୍କ ଯୋଗାଯୋଗରେ ରହନ୍ତୁ” ।
ପୁଲିସର ଶାରୀରିକ ଦକ୍ଷତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ତାଲିମ କାଳରେ ଯେଉଁ ଶାରୀରିକ ଦକ୍ଷତା ହାସଲ ହୋଇଛି ତାହାକୁ ବଳବତ୍ତର ରଖିବା ଲାଗି ସେ କହିଛନ୍ତି । ନିଜେ ସୁସ୍ଥ ରହିଲେ ନିଜର ସହକର୍ମୀମାନେ ମଧ୍ୟ ନିଜକୁ ସୁସ୍ଥ ରଖିବେ ଓ ଆପଣମାନଙ୍କ ଦ୍ଵାରା ଅନୁପ୍ରାଣିତ ହେବେ ବୋଲି ସେ କହିଛନ୍ତି । ଏହି ଅବସରରେ ଗୀତାର ଏକ ମହାନ ବାଣୀକୁ ମନେରଖି ତାହାଦ୍ୱାରା ଅନୁପ୍ରାଣିତ ହେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତାହାହେଲା –
“ଜତ, ଜତ, ଆଚରତି, ଶ୍ରେଷ୍ଠହ,
ତତ, ତତ, ଏବ, ଇତରହ, ଜନହ,
ସହ, ଜତ, ପ୍ରମାଣମ, କୁରୁତେ, ଲୋକହ,
ତତ, ଅନୁର୍ବର୍ତତେ ।

Leave A Reply

Your email address will not be published.