୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ରେପସିଡ୍ ଏବଂସୋରିଷର ଖର୍ଚ୍ଚ ଉପରେ ୧୦୪ ପ୍ରତିଶତ ରିଟର୍ଣ୍ଣ ପାଇଁ ବ୍ୟବସ୍ଥା
• ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଖର୍ଚ୍ଚର ରିଟର୍ଣ୍ଣ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି

ନୂଆଦିଲ୍ଲୀ, (ପିଆିବି) : ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି । ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସରକାର ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି । ମସୁରର କୁଇଣ୍ଟାଲ ପ୍ରତି ଏମଏସପି ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ରେପସିଡ ଏବଂ ସୋରିଷର କୁଇଣ୍ଟାଲ ପ୍ରତି ଏମ୍‌ଏସ୍‌ପି ୪୦୦ ଟଙ୍କା ବଢ଼ିଛି ।କୁସୁମର କୁଇଣ୍ଟାଲ ପ୍ରତି ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି । ଗହମ, ଚଣା ଏବଂ ଯଅର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୧୦, ୧୦୫ ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି ।

  • ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦଶ୍ରମ/ମେସିନଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଆରୋପିତ ମୂଲ୍ୟ ସାମିଲ ରହିଛି ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଚାଷୀମାନଙ୍କୁ ଉଚିତ୍‌ ଲାଭ ଜନକ ମୂଲ୍ୟ ପ୍ରଦାନ କରିବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ । ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳି ପାରିବ ।
୨୦୧୪-୧୫ ବର୍ଷଠାରୁ ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଆସୁଛି । ଏହାର ସୁଫଳ ଦେଶରେ ଦେଖିବାକୁ ମିଳିଛି । ୨୦୧୪-୧୫ରେ ତୈଳବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ୍ ଥିବା ବେଳେ ଏହା ୨୦୨୧-୨୨ରେ ୩୭.୭୦ ନିୟୁତ ଟନ (ଚତୁର୍ଥ ଅଗ୍ରୀମ ଆକଳନ)କୁ ବୃଦ୍ଧି ପାଇଛି ।ଡାଲି ଜାତୀୟ ଫସଲ ଉତ୍ପାଦନ ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି ।ବିହନ ମିନିକିଟ୍ସ କାର୍ୟ୍ୟକ୍ରମ ଚାଷୀଙ୍କ କ୍ଷେତରେ ନୂଆ କିସମର ବିହନ ବୁଣିବା କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହୋଇଛି ।
ଡାଲି ଜାତୀୟ ଫସଲ ଓ ତୈଳ ବୀଜ ଉତ୍ପାଦନ ୨୦୧୪-୧୫ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୪-୧୪ରେ ହେକ୍ଟର ପ୍ରତି ୭୨୮ କିଲୋଗ୍ରାମ ଡାଲି ଉତ୍ପାଦନ ହେଉଥିଲା । ଏହା ତୁଳନାରେ ୨୦୨୧-୨୨ ଚତୁର୍ଥ ଆକଳନ ଅନୁଯାୟୀ ହେକ୍ଟର ପିଛା ୮୯୨ କିଲୋଗ୍ରାମ ଡାଲି ଉତ୍ପାଦିତ ହେଉଛି । ସେହିପରି ତୈଳ ବୀଜ ଫସଲ ଉତ୍ପାଦନ ୨୦୧୪-୧୫ରେ ହେକ୍ଟର ପିଛା ୧୦୭୫ କିଲୋଗ୍ରାମ ଥିବା ବେଳେ ଏହା ୨୦୨୧-୨୨ ଚତୁର୍ଥ ଅଗ୍ରୀମ ଆକଳନ ଅନୁଯାୟୀ ହେକ୍ଟର ପିଛା ୧୨୯୨ କିଲୋଗ୍ରାମକୁ ବୃଦ୍ଧି ପାଇଛି ।
ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି । କୃଷି କ୍ଷେତ୍ର ସମ୍ପ୍ରସାରଣ, ଉଚ୍ଚ ଅମଳ କିସମ, ଏମଏସପି ସହାୟତା ଏବଂ କ୍ରୟ ଆଦି ଜରିଆରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି ।
ଦେଶର କୃଷିକ୍ଷେତ୍ରରେ ପ୍ରଯୁକ୍ତି ଏବଂ ନବୋନ୍ମେଷର ଉପଯୋଗ ଜରିଆରେ ସରକାର ସ୍ମାର୍ଟ କୃଷି ପଦ୍ଧତି ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାର ଏକ ଡିଜିଟାଲ କୃଷି ମିଶନ (ଡିଏଏମ୍‌) କାର୍ୟ୍ୟକାରୀ କରୁଛନ୍ତି, ଏଥିରେ ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଅଫ ଏଗ୍ରିକଲଚର (ଆଇଡିଇଏ), ଚାଷୀ ଡାଟାବେସ, ଏକିକୃତ ଚାଷୀ ସେବାଇଣ୍ଟର ଫେସ (ୟୁଏଫଏସଆଇ) ନୂଆ ପ୍ରଯୁକ୍ତି ଉପରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ (ଏନ୍‌ଇଜିପିଏ), ମାହାଲନବିସ ଜାତୀୟ ଫସଲ ଆକଳନ କେନ୍ଦ୍ର (ଏମଏସସିଏଫସି)ର ପୁନରୁଦ୍ଧାର, ମୃତ୍ତିକା ସ୍ବାସ୍ଥ୍ୟ, ଉର୍ବରତା ଏବଂ ପ୍ରୋଫାଇଲ ମ୍ୟାପିଂ ଆଦି ସାମିଲ ରହିଛି । ଏନଇଜିପି ଏ କାର୍ଯ୍ୟକ୍ରମ ଅଧୀନରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନଲର୍ଣ୍ଣିଂ (ଏଆଇ/ଏମଏଲ), ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ବ୍ଲକ୍ ଚେନ୍ ଆଦି ଭଳି ପ୍ରଗତିଶୀଳ ପ୍ରଯୁକ୍ତି ଉପଯୋଗ କରାଯାଇ ଡିଜିଟାଲ କୃଷି ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି ।ଡ୍ରୋନ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯାଉଛି । ସ୍ମାର୍ଟ କୃଷି ପ୍ରୋତ୍ସାହନ ଦେବା ଲାଗି, ସରକାର କୃଷିକ୍ଷେତ୍ରରେ ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ।

Leave A Reply

Your email address will not be published.

two × three =