pakka

ଠକେଇ ଓ ଜାଲିଆତି ମାମଲାରେ ‘ସେଲ’ ଅଧୀନ ରାଉରକେଲା ଇସ୍ପାତ କାରଖାନାର ତତ୍‌‌କାଳୀନ ଏଜିଏମ୍‌ଙ୍କୁ ସିବିଆଇ କୋର୍ଟ ଦ୍ୱାରା ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ

bbehera

ନୂଆଦିଲ୍ଲୀ, (ପିଆଇବି) : ଏକ ଠକେଇ ଓ ଜାଲିଆତି ମାମଲାରେ ସିବିଆଇର ଭୁବନେଶ୍ୱରସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ‘ସେଲ’ ଅଧୀନରେ ଥିବା ରାଉରକେଲା ଇସ୍ପାତ କାରାଖାନାର ତତ୍‌କାଳୀନ ସହକାରୀ ସାଧାରଣ ପରିଚାଳକ ଏଜିଏମ୍‌ କେ. ବାଳ ଗଙ୍ଗାଧରଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି । ଏହି ଠକେଇ ଓ ଜାଲିଆତି ମାମଲାରେ ତତ୍କାଳୀନ ଏଜିଏମ୍ ବାଳ ଗଙ୍ଗାଧରଙ୍କ ସମେତ ଅନ୍ୟମାନଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଭିତ୍ତିରେ ସିବିଆଇ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବା ସହିତ ଅଭିଯୁକ୍ତମାନଙ୍କ ନାମରେ କେସ୍ ଦାଏର କରିଥିଲା । ଅଭିଯୋଗ ଅନୁସାରେ ଏହି ଅଭିଯୁକ୍ତମାନେ ଏକ ଘରୋଇ ସଂସ୍ଥା ସହିତ ମିଶି ଅପରାଧିକ ଷଡଯନ୍ତ୍ର ରଚନା କରିବା ସହିତ ରାଉରକେଲା ଇସ୍ପାତ କାରଖାନାରୁ ପ୍ରାୟ ୨୪ଲକ୍ଷ ୪୧ହଜାର ଟଙ୍କା ଠକି ନେଇଥିଲେ । ଏହି ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଜାଲ କାଗଜପତ୍ର ବ୍ୟବହାର କରିବା ସହିତ ନିଜ ପଦର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା । ସେମାନେ ବେଆଇନ ଆର୍ଥିକ ଲାଭ ପାଇଁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଆର୍‌ଏସ୍‌ପିର ହଟ ଷ୍ଟ୍ରିମ ମିଲ (ଏଚ୍‌ଏମ୍‌ଏମ୍‌)ର ମରାମତି, ରଙ୍ଗ ଓ ସଫେଇ କାମ ଦେଇଥିଲେ । ମାମଲାର ତଦନ୍ତ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୦୧ ନଭେମ୍ବର ୨୯ରେ ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ମାମଲାର ଦୀର୍ଘ ବିଚାର ସମୟରେ ଛ’ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା । ଫଳରେ ସେମାନଙ୍କ ବିରୋଧରେ ଚାଲିଥିବା ମାମଲାକୁ ପ୍ରତ୍ୟାହାର କରାଯାଇଥିଲା । ବାକି ଦୁଇଜଣଙ୍କ ବିରୋଧରେ ସିବିଆଇର ସ୍ୱତନ୍ତ୍ର ଟାଏଲ କୋର୍ଟରେ ମକଦ୍ଦମା ଜାରି ରହିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ତତ୍କାଳୀନ ଏଜିଏମ୍‌ଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି । ତେବେ ସମ୍ପୃକ୍ତ ଘରୋଇ ସଂସ୍ଥାର ସଂସ୍ଥାପକ ଯାହାଙ୍କ ବିରୋଧରେ ମଧ୍ୟ ମାମଲା ଚାଲିଥିଲା, ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି ।

Leave A Reply

Your email address will not be published.

5 × 4 =