pakka

ମମତା ବାନାର୍ଜୀ ଗର୍ଜିଲେ : ବିଜେପି ହଟାଓ, ଦେଶ ବଚାଓ

bbehera

କୋଲକାତା : ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ‘ବିଜେପି ହଟାଓ, ଦେଶ ବଚାଓ’ ସ୍ଲୋଗାନ ଦେଇ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ ହେବାକୁ ନିବେଦନ କରିଛନ୍ତି । ବିଧାନସଭା ନିର୍ବାଚନ ପରେ ତାଙ୍କର ପ୍ରଥମ ରାଲିରେ ସେ କୋଭିଡ ପରିଚାଳନାରେ ବିଫଳତା, ତୈଳ ଓ ଗ୍ୟାସ ଦର ବୃଦ୍ଧି ଏବଂ ପେଗାସସ୍ ମାଧ୍ୟମରେ ଫୋନ୍ ଟ୍ୟାପ୍ ଭଳି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିବା ସହ ବିଜେପିକୁ ଏକଛତ୍ରବାଦୀ ତଥା କରୋନା ଠାରୁ ବି ଖତର୍‌ନାକ ଭୂତାଣୁ ବୋଲି କହିଥିଲେ । ପେଗାସସ୍ ମାଧ୍ୟମରେ ରାଜନେତା, ବିଚାରପତି ଏବଂ ସାମ୍ବାଦିକଙ୍କ ଫୋନକୁ ଟ୍ୟାପ୍ କରିବା ବିଷୟରେ ଟିଏମସି ମୁଖ୍ୟ ସୁପ୍ରିମକୋର୍ଟର ବିଚାରପତିଙ୍କୁ ଏହି ଘଟଣାର ଅବଗତ ହେବା ସହ ମାମଲା ପଞ୍ଜିକରଣ କରି ଏହାର ଯାଞ୍ଚ ପାଇଁ ଏସଆଇଟି ସ୍ଥାପନ କରିବାକୁ ଅପିଲ୍‌ କରିଛନ୍‌ନ୍ତି । ଗଣତନ୍ତ୍ରକୁ କେବଳ ନ୍ୟାୟପାଳିକା ରକ୍ଷା କରିପାରିବ ବୋଲି ଟିଏମସି ମୁଖ୍ୟ କହିଛନ୍ତି ।

ଦେଶ ବଞ୍ଚାଇବା ପାଇଁ ବିରୋଧୀଙ୍କୁ ଏକଜୁଟ ହେବାକୁ ପଡିବ। ନଚେତ୍ ଲୋକମାନେ ଆମକୁ କ୍ଷମା କରିବେ ନାହିଁ ବୋଲି ମମତା କହିଛନ୍ତି। ବୁଧବାର ଏଠାରେ ଥିବା କାଲିଘାଟରେ ତାଙ୍କ ବାସଭବନ ସମ୍ମୁଖରେ ନିର୍ମିତ ମଞ୍ଚରୁ ମମତା ବାର୍ଷିକ ଶହୀଦ ସମାବେଶକୁ ଏକ ଭର୍ଚୁଆଲ୍ ଢ଼ଙ୍ଗରେ ସମ୍ବୋଧିତ କରୁଥିଲେ । ଚଳିତ ବର୍ଷ ବିଶେଷ କଥା ହେଲା ମମତା ପ୍ରଥମ ଥର ପାଇଁ ହିନ୍ଦୀ ଏବଂ ଇଂରାଜୀରେ ଅଧିକାଂଶ ଭାଷଣ ଦେଇଥିଲେ । ମଝିରେ ମଝିରେ ସେ ବଙ୍ଗାଳୀ ମଧ୍ୟ କହିଥଲେ। ସାଧାରଣତଃ ପୂର୍ବରୁ ସେ କେବଳ ଅଧିକାଂଶ ବଙ୍ଗଳା ଭାଷାରେ ଭାଷଣ ଦେଉଥିଲେ ।

ପ୍ରଥମ ଥର ପାଇଁ ଟିଏମସି ନିଜର ରାଲିକୁ ଗୁଜୁରାଟ ବ୍ୟତୀତ ଦିଲ୍ଲୀ, ତ୍ରିପୁରା ଏବଂ ଉତ୍ତରପ୍ରଦେଶକୁ ପ୍ରସାରଣ କରିଥିଲା । କୋଲକାତାରେ ତାଙ୍କ ରାଲିରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଉପସ୍ଥିତ ଥିବାବେଳେ ଏନସିପି ନେତା ଶରଦ ପାୱାର, କଂଗ୍ରେସର ପି.ଚିଦାମ୍ବରମ୍ ଏବଂ ଏସପି.ର ରାମ ଗୋପାଳ ଯାଦବଙ୍କ ସମେତ ବହୁ ବିରୋଧୀ ଦଳ ନେତା ତାଙ୍କ ଭାଷଣ ଶୁଣିଥିଲେ। ମମତା କହିଛନ୍ତି, ମୁଁ ଜାଣେ ନାହିଁ ୨୦୨୪ ରେ କ’ଣ ହେବ । କିନ୍ତୁ ବର୍ତ୍ତମାନଠାରୁ ଏଥିପାଇଁ ପ୍ରସ୍ତୁତି କରିବାକୁ ପଡିବ । ଆମେ ଯେତେ ଅଧିକ ସମୟ ନଷ୍ଟ କରିବା, ସେତେ ବିଳମ୍ବ ହେବ । ସମସ୍ତ ଦଳ ବିରୋଧ ଦଳ ମିଶି ବିଜେପି ବିରୋଧରେ ଏକ ଫ୍ରଣ୍ଟ ଗଠନ କରିବାକୁ ପଡିବ।

ଜୁଲାଇ ୨୭ ରୁ ୨୯ ପର୍ୟ୍ୟନ୍ତ ଦିଲ୍ଲୀରେ ଏକ ବୈଠକ ଡକାଇବାକୁ ସେ ଶରଦ ପାୱାର ଏବଂ ଚିଦାମ୍ବରମଙ୍କୁ ନିବେଦନ କରିଛନ୍ତି । ମମତା ନିଜେ ମଧ୍ୟ ସେହି ସମୟରେ ଦିଲ୍ଲୀ ଗସ୍ତରେ ଆସିବେ । ମମତା କହିଛନ୍ତି ଯେ, ଦେଶ ତଥା ଦେଶର ଲୋକଙ୍କୁ ବଞ୍ଚାଇବା ସହିତ ସଂଘୀୟତାର ଗଠନ ପାଇଁ ଆମକୁ ଏକଜୁଟ ହେବାକୁ ପଡିବ । ଟିଏମସି ନେତା କହିଛନ୍ତି, ବିଜେପିକୁ ଦେଶରୁ ବିତାଡିତ ନକଲେ ଗଣତନ୍ତ୍ରକୁ ବଞ୍ଚାଇବା କଷ୍ଟକର ହେବ। ଏହା ନହେବା ପର୍ୟ୍ୟନ୍ତ ପ୍ରତ୍ୟେକ ରାଜ୍ୟରେ ‘ଖେଲା ହୋବେ’ ଚାଲିବ । ଆମେ ଥରେ ବେଙ୍ଗାଲୁରୁରେ ଖେଳ ପ୍ରଦର୍ଶନ କରିଛୁ । ଏବେ ପୁଣି ଆମେ ବିଜେପିକୁ ଖେଳ ଦେଖାଇବୁ ।

Leave A Reply

Your email address will not be published.

9 − five =