ଅଧିକ କରୋନା ନମୁନା ପରୀକ୍ଷା, ପ୍ରତି ଦଶ ଲକ୍ଷ ଲୋକରେ କମ୍ ସଂଖ୍ୟକ ପଜିଟିଭ ଓ କମ୍ ମୃତ୍ୟୁ ସଂଖ୍ୟା ବଜାୟ ରଖିଥିବା ଦେଶ ଗୁଡ଼ିକ ମଧ୍ୟରେ କ୍ରମାଗତ ଭାବେ ରହିପାରିଛି ଭାରତ

● ଦେଶରେ ଜାରି ରହିଛି କମ୍ ସଂଖ୍ୟକ ପଜିଟିଭର ଧାରା

ନୂଆଦିଲ୍ଲୀ, (ପିଆଇବି) : ନିର୍ଦ୍ଦିଷ୍ଟ ରଣନୀତି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମିଳିତ ଭାବେ ଗ୍ରହଣ କରିଥିବା ମୁକାବିଲା ନୀତି ଯୋଗୁ ଭାରତ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ କମ୍ ସଂଖ୍ୟକ ପଜିଟିଭ୍ ଓ କମ୍ ମୃତ୍ୟୁ ବଜାୟ ରଖିବାରେ ବିଶ୍ୱସ୍ତରର ଦେଶ ଗୁଡ଼ିକ ମଧ୍ୟରେ ରହିପାରିଛି ।
ବିଶ୍ୱସ୍ତରରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପଜିଟିଭ୍ ସଂଖ୍ୟା ୫,୫୫୨ ଥିବା ବେଳେ ଭାରତରେ ଏହି ସଂଖ୍ୟା ରହିଛି ୫,୭୯୦ । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଫ୍ରାନ୍ସ, ବିଟ୍ରେନ, ରୁଷିଆ ଏବଂ ଦକ୍ଷିଣ ଆଫ୍ରିକାରେ ଏହି ସଂଖ୍ୟା ବହୁ ଅଧିକ ରହିଛି ।
ବିଶ୍ୱସ୍ତରରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ୧୪୮ ଥିବା ବେଳେ ଭାରତରେ ଏହା ରହିଛି ୮୭ । କୋଭିଡ-୧୯ ପରିଚାଳନାରେ ଭାରତର ଲକ୍ଷ୍ୟଭିତ୍ତିକ ରଣକୌଶଳ ଏବଂ ସୁବ୍ୟବସ୍ଥିତ ଜନସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ଯୋଗୁ ଗତ କେଇ ମାସ ମଧ୍ୟରେ ଏହି ଉତ୍ସାହଜନକ ଫଳ ମିଳିପାରିଛି ।
ମୋଟ ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ବିଶ୍ୱରେ ଅନ୍ୟତମ ଦେଶ ଭାବେ ସର୍ବାଗ୍ରେ ରହିଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୧୦,୬୬,୭୮୬ ନମୁନା ପରୀକ୍ଷା ହୋଇଛି । ଏ ପର୍ୟ୍ୟନ୍ତ ମୋଟ ୧୦.୫ କୋଟି (୧୦,୫୪,୮୭,୬୮୦) ନମୁନା ପରୀକ୍ଷା ହୋଇଛି ।
ବ୍ୟାପକ ଭାବେ ସୁବ୍ୟବସ୍ଥିତ ନମୁନା ପରୀକ୍ଷା କରାଯାଉଥିବାରୁ ଶୀଘ୍ର ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇ ଉଚିତ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁଛି । ତେଣୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି । ଭାରତରେ ଏବେ ମୃତ୍ୟୁ ହାର ରହିଛି ୧.୫୦% ।
ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଏବେ ମୋଟ ପଜିଟିଭ୍ ସଂଖ୍ୟାର ୭.୬୪% ସକ୍ରିୟ ମାମଲା ଭାବେ ରହିଛି, ଯାହାକି ୬,୧୦,୮୦୩ । ମୋଟ ସୁସ୍ଥଙ୍କ ସଂଖ୍ୟା ରହଛି ୭୨,୫୯,୫୦୯ ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୮୯୩ ନୂଆ ମାମଲା ସାମନାକୁ ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ଆଉ ୫୮,୪୩୯ ଆକ୍ରାନ୍ତ । ନୂଆ ସୁସ୍ଥଙ୍କ ମଧ୍ୟରେ ୭୭% କେବଳ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।
ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରୁ ଗୋଟିଏ ଦିନରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭ୍ ମାମଲା ମଧ୍ୟରୁ ୭୯% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ନୂଆ ମାମଲାରେ ମହାରାଷ୍ଟ୍ରକୁ କେରଳ ଟପି ଯାଇଛି । ଉଭୟ ରାଜ୍ୟରେ ଏବେ ୫ ହଜାରରୁ ଅଧିକ ମାମଲା ଆସୁଛି । ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ମାମଲା ବଢ଼ୁଥିବା ନଜରକୁ ଆସିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୦୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ପ୍ରାୟ ୭୯% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.