ମୋଟରଯାନ ଟ୍ରେଡ ସାର୍ଟିଫିକେଟ ପ୍ରଦାନ ନିୟମରେ ସଂଶୋଧନ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନ୍ତର୍ଗତ ଟ୍ରେଡ ସାର୍ଟିଫିକେଟ ନିୟମରେ କେତେକ ସଂଶୋଧନ ଆଣିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୫ତାରିଖ(୫.୫.୨୦୨୨)ରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମୋଟରଯାନ କ୍ଷେତ୍ରରେ ଟ୍ରେଡ ସାର୍ଟିଫିକେଟର ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି । ଯେତେବେଳେ ଗୋଟିଏ ମୋଟରଯାନ ପଞ୍ଜୀକୃତ ହୋଇ ନ ଥିବ କିମ୍ବା ଅସ୍ଥାୟୀ ପଞ୍ଜୀକରଣ ପାଇ ନ ଥିବ, ସେତେବେଳେ ସମ୍ପୃକ୍ତ ଗାଡି ପାଇଁ ଟ୍ରେଡ ସାର୍ଟିଫିକେଟ ଦରକାର ହୋଇଥାଏ । ଏହି ସମୟରେ ସମ୍ପୃକ୍ତ ଯାନ ଏହାର ନିର୍ମାତା, ବିକ୍ରେତା, ଆମଦାନୀକାରୀ କିମ୍ବା ଟେଷ୍ଟିକାରୀ ସଂସ୍ଥା ପାଖରେ ରହିଥାଏ । ଏଥିପାଇଁ ମୋଟରଯାନ ଆଇନର ୧୨୬ ଧାରେ ବ୍ୟବସ୍ଥା ରହିଛି ।
ଏହି ଯାନର କାରବାର /ବ୍ୟବସାୟକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ କେତେକ ସଂଶୋଧନ କରିବାକୁ ଚାହୁଁଛନ୍ତି । ପ୍ରସ୍ତାବ ଅନୁସାରେ ଏଣିକି ସମ୍ପୃକ୍ତ ସଂସ୍ଥା ବା ଏଜେନ୍ସି ବିଭିନ୍ନ ପ୍ରକାର ମୋଟର ଯାନ ପାଇଁ ଟ୍ରେଡ୍ ସାର୍ଟିଫିକେଟ ଓ ଟ୍ରେଡ ରେଜିଷ୍ଟ୍ରେସନ ମାର୍କ ପାଇବାକୁ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ଏଣିକି ଆବେଦନ କରିପାରିବେ । ଆରଟିଓ ଅଫିସକୁ ନ ଯାଇ ଆବେଦନକାରୀ ‘ବାହନ ପୋର୍ଟାଲ’ରେ ଗୋଟିଏ ଆବେଦନପତ୍ର ମାଧ୍ୟମରେ ଏହି ଟ୍ରେଡ ସାର୍ଟିଫିକେଟ ଓ ଟ୍ରେଡ ରେଜିଷ୍ଟ୍ରେସନ ମାର୍କ ପାଇବାକୁ ଆବେଦନ କରିପାରିବେ । ଟ୍ରେଡ ରେଜିଷ୍ଟ୍ରେସନ ମାର୍କର ସଂଖ୍ୟା ଅନୁସାରେ ଆବେଦନକାରୀଙ୍କୁ ଫି ଭରିବାକୁ ପଡିବ । ଏହାପରେ ଉଭୟ ଟ୍ରେଡ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ମାର୍କ ଅନଲାଇନରେ ସମ୍ପୃକ୍ତ ପୋର୍ଟାଲ ମାଧ୍ୟମରେ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ଯୋଗାଇ ଦିଆଯିବ ।
ଏହି ଇଲେକ୍ଟ୍ରୋନିକ ବ୍ୟବସ୍ଥା ଫଳରେ ଟ୍ରେଡ୍ ସାର୍ଟିଫିକେଟ ହଜିଲେ କିମ୍ବା ନଷ୍ଟ ହୋଇଗଲେ ଏହାର ନକଲ ପାଇବାକୁ କର୍ତ୍ତୃପକ୍ଷଙ୍କ ନିକଟକୁ ଆଗଭଳି ଆଉ ଦୌଡିବାକୁ ପଡିବ ନାହିଁ । ଏହା ଫଳରେ ଗାଡି ବିକ୍ରେତା, ଉତ୍ପାଦକ ଓ ଆମଦାନୀକାରୀ ବିଶେଷ ଉପକୃତ ହେବେ । ପରିବହନ କ୍ଷେତ୍ରରେ ଏହା ଏକ ନୂଆ ସୁବିଧା ପ୍ରଦାନକାରୀ ବ୍ୟବସ୍ଥା । ଆହୁରି ମଧ୍ୟ ଚିଠା ବିଜ୍ଞପ୍ତିରେ ଟ୍ରେଡ ସାର୍ଟିଫିକେଟର ବୈଧତାକୁ ୧୨ମାସରୁ ପାଞ୍ଚବର୍ଷ ପର୍ୟ୍ୟନ୍ତ ବଢାଇ ଦିଆଯାଇଛି ।

Leave A Reply

Your email address will not be published.

one × five =

error: Content is protected !!