କୋଭିଡ -୧୯ ମାମଲା ବିପଜ୍ଜନକ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ : ଜୋ ବାଇଡେନ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ ବାଇଡେନ ଦେଶରେ କରୋନା ଭାଇରସ୍‌ର ଦ୍ରୁତ ବୃଦ୍ଧିକୁ ବିପଜ୍ଜନକ ବୋଲି କହିିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଚାଲିଥିବା ବର୍ତ୍ତମାନର ପ୍ରଶାସନ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଇଡେନ ଦାବୀ କରିଛନ୍ତି । ଜୋ ବାଇଡେନଙ୍କୁ ଶୁକ୍ରବାର ଦିନ କରୋନା ଭୂତାଣୁ ବିସ୍ତାର ବିଷୟରେ ଡକ୍ଟର ବିବେକ ମୁର୍ତ୍ତ, ଡ. ଡେଭିଡ କେସଲର ଏବଂ କୋଭିଡ -୧୯ ପରାମର୍ଶଦାତା ବୋର୍ଡର ସହ-ଚେୟାରମ୍ୟାନ୍‌ ଡ ମାର୍ସଲା ନୁନେଜ-ସ୍ମିଥ ସୂଚନା ଦେଇଛନ୍ତି ।

ବାଇଡେନ କହିଛନ୍ତି, ସେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ । ଆମେରିକାରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ୁଛି, ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି ଏବଂ ମହାମାରୀରେ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ପ୍ରାୟ ସମଗ୍ର ଦେଶରେ ଅବସ୍ଥା ଅତ୍ୟନ୍ତ ଖରାପ । ସେ କହିଛନ୍ତି ଯେ, ଏହି ସପ୍ତାହରେ ଏକ ନିରାପଦ ତଥା ପ୍ରଭାବଶାଳୀ କୋଭିଡ -୧୯ ଟୀକା ପ୍ରସ୍ତୁତ କରିବା ଦିଗରେ ଏକ ଖୁସି ଖବର ଆସିଛି । ସୋମବାର ଔଷଧ କମ୍ପାନୀ ପିଫାଇଜର ଦାବୀ କରିଛି ଯେ ସେମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୋଭିଡ -୧୯ ଟୀକା ୯୦ ପ୍ରତିଶତ ପ୍ରଭାବଶାଳୀ । ବାଇଡେନ କହିଛନ୍ତି ଯେ, ମହାମାରୀ ସମ୍ବନ୍ଧରେ କେନ୍ଦ୍ର ସରକାର ଦୃଢ଼ ଏବଂ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଉଚିତ । ସେ କହିଛନ୍ତି ଯେ, ମୁଁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛି, କିନ୍ତୁ ମୁଁ ଆସନ୍ତା ବର୍ଷ ରାଷ୍ଟ୍ରପତି ହେବି । ସେପର୍ଯ୍ୟନ୍ତ ମାମଲା ବନ୍ଦ ହେବ ନାହିଁ, ଏହା ବର୍ତ୍ତମାନ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛ । ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ବର୍ତ୍ତମାନର ପ୍ରଶାସନ ତୁରନ୍ତ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ ।

Leave A Reply

Your email address will not be published.