pakka

ନୂଆ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ଜନ୍ତର ମନ୍ତର୍‌ରେ ଆନ୍ଦୋଳନ ଆରମ୍ଭ କରିବେ

bbehera

ନୂଆଦିଲ୍ଲୀ : କେନ୍ଦ୍ରର ୩ଟି କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ଜନ୍ତର ମନ୍ତରରେ ଆନ୍ଦୋଳନ ଆରମ୍ଭ କରିବେ । ଅଗଷ୍ଟ ୯ ପର୍ଯ୍ୟନ୍ତ ସର୍ବାଧିକ ୨୦୦ କୃଷକଙ୍କ ଦ୍ୱାରା ପ୍ରଦର୍ଶନ ପାଇଁ ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବୈଜଲ ଅନୁମତି ଦେଇଛନ୍ତି । ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୋଲିସ ସୁରକ୍ଷା ସହିତ ୨୦୦ କୃଷକଙ୍କର ଏକ ଦଳ ବସ୍‌ରେ ସିଂଧୁ ସୀମାରୁ ଜନ୍ତର ମନ୍ତରକୁ ଆସି ସକାଳ ୧୧ ଟାରୁ ୫ ଟା ପର୍ଯ୍ୟନ୍ତ ସେଠାରେ ବିରୋଧ ପ୍ରଦର୍ଶନ କରିବେ । କୁହାଯାଇଛି ଯେ, କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଗଠନର ଏକ ମିଳିତ ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ)କୁ ସମସ୍ତ କୋଭିଡ଼୍‌ ନିୟମ ପାଳନ କରାଯିବ ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ଏକ ପ୍ରତିଶ୍ରୁତି ଦେବାକୁ କୁହାଯାଇଛି ।

ଏସକେଏମ ପକ୍ଷରୁ କୁହାଯାଇଛି, ଯଦି ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହୁଏ, ତେବେ ଜନ୍ତର ମନ୍ତରରେ ସେମାନଙ୍କ ବିରୋଧ ମଧ୍ୟ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଜାରି ରହିବ । ତେବେ ଉପ ରାଜ୍ୟପାଳ ଅଗଷ୍ଟ ୯ ପର୍ଯ୍ୟନ୍ତ ପ୍ରଦର୍ଶନ ପାଇଁ ଅନୁମତି ଦେଇଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୬ରେ ଏକ ଟ୍ରାକ୍ଟର ରାଲି ସମୟରେ ଜାତୀୟ ରାଜଧାନୀରେ ଘଟିଥିବା ହିଂସା ପରେ ଏହା ପ୍ରଥମ ଥର ପାଇଁ ଅଧିକାରୀମାନେ ବିରୋଧ କରିବାକୁ କୃଷକ ସଂଗଠନକୁ ଅନୁମତି ଦେଇଛନ୍ତି । ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଉପ ରାଜ୍ୟପାଳ ଅନିଲ ବୈଜଲ, ଯିଏକି ଡିଡିଏମଏର ଚେୟାରମ୍ୟାନ୍, ଗୁରୁବାର ଠାରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୧୧ଟାରୁ ୫ ଟା ପର୍ଯ୍ୟନ୍ତ ସର୍ବାଧିକ ୨୦୦ କୃଷକ ଜନ୍ତର ମନ୍ତରରେ ଏହି ବିରୋଧ ପ୍ରଦର୍ଶନକୁ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.

4 × four =