ଲୋଇସିଂହରେ ଲୁଟେରା ସକ୍ରିୟ : ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ, ପୋଲିସ ହାତ ଖାଲି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି । ଲୋଇସିଂହା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଅଂଚଳରେ ଲୁଟପାଟ ବୃଦ୍ଧି ପାଇଥିଲେ ମଧ୍ୟ ଲୁଟେରାମାନେ ଧାରା ପଡୁ ନଥିବା ଯୋଗୁଁ ଜନସାଧାରଣଙ୍କ ଚିନ୍ତା ବଢିଯାଇଛି ।

ପୋଲିସ ସୂଚନା ମୁତାବକ, ଲୋଇସିଂହା ଜଡାମୁଣ୍ଡା ବସ୍ତିର ଗୋପାଳ ପଧାନ ଓ ତାଙ୍କ ପୁଅ ଲୋଇସିଂହା ଏସବିଆଇକୁ ଆସି ୪ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ବ୍ୟାଗ ଧରି ବ୍ୟାଙ୍କ ଆଗକୁ ଆସି ବାଇକ ଡିକିରେ ଟଙ୍କା ରଖିବା ସହିତ ମାତ୍ର କିଛି ମିଟର ଦୂରରେ ଥିବା ଚା ଦୋକାନକୁ ବାପପୁଅ ଚା ପିଇବାକୁ ଯାଇଥିଲେ । ଆଖି ଆଗରେ ବାଇକ ଥିଲେ ମଧ୍ୟ ଚା ପିଇ ଆସିବା ବେଳକୁ ଡିକି ଭଙ୍ଗାଯାଇ ଟଙ୍କା ଲୁଟ ହୋଇଥିବା ଯୋଗୁଁ ସେମାନେ ଥାନାରେ ଅଭିଯୋଗ କରିଥିଲେ । ସନ୍ଧ୍ୟାରେ ବଲାଂଗିର ଏସଡିପିଓ ଶ୍ରୀମନ୍ତ ବାରିକ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ଛାନଭିନ କରି ଫେରି ଯାଇଥିଲେ । ତେବେ ଲୁଟେରା ମାନଙ୍କ କୌଣସି ପତ୍ତା ମିଳିନଥିବା ପୋଲିସ ସୂଚନା ଦେଇଛି । ପୂର୍ବରୁ ଲୋଇସିଂହା ବସଷ୍ଟାଣ୍ଡରୁ ବସ୍ତି ରାସ୍ତାରେ ଥିବା ତ୍ରିଶୂଳ ବନ୍ଧ ନିକଟରେ ସ୍ଥାନୀୟ ବ୍ୟବସାୟୀ ସାଉରିଆ ଅଗ୍ରୱାଲକୁ ୪ ଜଣ ଦୁବୃର୍ତ୍ତ ମାଡ ମାରି ବ୍ୟାଗ ଛଡାଇ ନେଇଥିଲେ । ବ୍ୟାଗରେ ଟଙ୍କା ନ ଥିଲେ ହେଁ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ବୁର୍ତ୍ତ ମାନେ ଗୋଟିଏ ବାଇକ ଓ ସ୍କୁଟି ଛାଡି ଫେରାର ହୋଇ ଯାଇଥିଲେ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିଲେ ହେଁ ପରେ ତାଙ୍କୁ ଛାଡି ଦେଇଥିବା ଆଲୋଚନା ହେଉଛି । ସେହିପରି ସଦର ଥାନା ତଥା ଲୋଇସିଂହା ବ୍ଲକ ଲୁଚକିବାହାଲ ନିକଟରେ ଜନୈକ ବ୍ୟକ୍ତିଙ୍କୁ ଲୁଟେରା ମାନେ ଆକ୍ରମଣ କରିବା ସହିତ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । କୌଣସି ଗୋଟିଏ ବି ଲୁଟ ଘଟଣାରେ ଲୁଟେରାଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରି ନାହିଁ । ପୋଲିସ ହାତବାନ୍ଧି ବସିଥିବା ବେଳେ ଲୁଟେରାଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ସେମାନେ ଅଧିକ ଉତ୍ସାହିତ ତଥା ସକ୍ରିୟ ହୋଇ ପଡୁଥିବା ଅଭିଯୋଗ କରିଛି ଲୋଇସିଂହା ବ୍ଲକ ଆଦିବାସୀ କଲ୍ୟାଣ ମହାସଂଘ । ବୁଧବାର ସଂଘ ପକ୍ଷରୁ ବ୍ୟାଙ୍କ ଓ ଥାନାକୁ ଯାଇ ନିୟମିତ ଭାବେ ହେଉଥିବା ଲୁଟକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ଲୁଟପାଟ ଘଟଣାରେ ଅଭିଯୁକ୍ତ ଧରା ନ ପଡିବା ଓ ପୋଲିସ ନିଷ୍କ୍ରିୟତାକୁ ନେଇ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଆଦିବାସୀ କଲ୍ୟାଣ ମହାସଂଘର ବଲାଂଗୀର ଜିଲା ଉପସଭାପତି ଶ୍ୟାମସୁନ୍ଦର ଭୋଇ,ଦଶରଥ ଛତ୍ରିଆ, କାହ୍ନୁ ପଧାନ ,ଲାଲମନ ନାଗ ପ୍ରମୁଖ ଚେତାବନୀ ଦେଇଛନନ୍ତି । ସେହିପରି ଲୋଇସିଂହା-ସୁଜିଆ ରାସ୍ତାରେ ସନ୍ଧ୍ୟା ସମୟରେ ଲୁଟେରା ମାନେ ସଂକ୍ରିୟ ରହୁଥିବା ନେଇ ସୁଜିଆ ଗ୍ରାମର ମିତ୍ରଭାନୁ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.