ପୋଲିସ ହାତରେ ଧରାପଡ଼ିଲେ ୫ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଛନ୍ତି ୫ ଲୁଟେରା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ୍‌ଡ଼ କ୍ରେଡିଟ୍‌ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବା ବେଳେ ସେ ବିଭିନ୍ନ ଗାଁରେ ଥିବା ଗ୍ରୁପ୍‌ ସଦସ୍ୟାମାନଙ୍କଠାରୁ ଋଣ କିସ୍ତି ସଂଗ୍ରହ କରନ୍ତି । ତେବେ ସେ ଗତ ଜୁଲାଇ ମାସ ୧୩ ତାରିଖ ଦିନ ମହମ୍ମଦପୁର ଏବଂ ପଦମ୍‌ପୁର ଗାଁରୁ ୩୦୨୩୦ ଟଙ୍କା ସଂଗ୍ରହ କରି ବଲାଙ୍ଗିର ଫେରୁଥିବା ବେଳେ ପଦମ୍‌ପୁରରୁ ମହମ୍ମଦପୁର ମଝିରେ ଲୁଟ୍‌ର ଶିକାର ହୋଇଥିଲେ । ତେବେ ଲୁଟେରାମାନେ ତାଙ୍କୁ ଲାଠି ସାହାଯ୍ୟରେ ଆକ୍ରମଣ କରି ତାଙ୍କଠାରୁ ସଂଗ୍ରହ କରିଥିବା ଟଙ୍କା, ୩୭ ଶହ ଟଙ୍କା, ଡିଏଲ୍‌, ଆର୍‌ସି ତଥା ଏଟିଏମ୍‌ କାଡର଼୍ ଥିବା ମନିପର୍ସ, ଏମ୍‌ଆଇ ରେଡ଼୍‌ମି ନୋଟ୍‌-୪ ମୋବାଇଲ୍‌ ଫୋନ୍‌ ଲୁଟି ଜଙ୍ଗଲ ଭିତରକୁ ଫେରାର୍‌ ହୋଇଯାଇଥିଲେ । ଦେଓଗାଁ ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରୁ ଜଣାପଡ଼ିଲା ଯେ, ଅଭିଯୁକ୍ତ ଅଲେଖ ପୋଢ଼ ଅନ୍ୟ ଅଭିଯୁକ୍ତମାନେ ଘଟଣା ଦିନ ଜଂଗଲରେ ଛପି ରହିଥିଲେ ଏବଂ ଲୁଟ୍‌ର ଶିକାର ହୋଇଥିବା ବିଜୟ କୁମାର ବାରିକ ଫେରିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ତାଙ୍କୁ ଲାଠି ଦ୍ୱାରା ଆକ୍ରମଣ କରିଥିଲେ । ତେବେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ଘଟଣାରେ ବ୍ୟବହୃତ ବାଇକ୍‌ ମଧ୍ୟ ଜବତ୍‌ କରିଛି । ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଗିରଫ୍‌ ହୋଇଥିବା ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗାଁର ରାମଲାଲ ସୁନାନୀ(୪୨), ଟୁକୁ ଓରଫ୍‌ ପବିତ୍ର ଜାଲ(୨୫) ଓ ସୁବଲ ବାଗ(୨୪), ଦେଓଗାଁ ବ୍ଲକ୍‌ ପଦମ୍‌ପୁର ଗାଁର ବନମାଲି ପୋଢ଼(୨୩) ଓ ଅଲେଖ୍‌ ପୋଢ଼(୨୫) । ୪ଟି ମୋବାଇଲ ଫୋନ୍‌ (ଲୁଟ୍‌ ହୋଇଥିବା ମୋବାଇଲ୍‌ ଫୋନ୍‌ ସହ), ଗୋଟିଏ ହୀରୋ ଗ୍ଲାମର୍‌ ବାଇକ୍‌ (ଓଡି୦୩ଏନ୍‌ ୩୫୯୫) ଏବଂ ଗୋଟିଏ ହୀରୋହଣ୍ଡା ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌ (ଓଆର୍‌୦୩ଏଫ୍‌ ୯୭୨୭) ଅଭିଯୁକ୍ତମାନଙ୍କଠାରୁ ପୋଲିସ ପକ୍ଷରୁ ଜବତ୍‌ କରାଯାଇଛି ।

Leave A Reply

Your email address will not be published.