ତୁରେକେଲା ବ୍ଲକ ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ଦେହାନ୍ତ : ବ୍ଲକ ଗଠନର ମୁଖ୍ୟ ପୁରୋଧାଙ୍କ ବିୟୋଗରେ ଶୋକାକୁଳ ତୁରେକେଲା ଅଂଚଳ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ୮୬ ବର୍ଷ ବୟସରେ ଗତ ରାତିରେ ଦେହାନ୍ତ ହୋଇଯାଇଛି । ମିଳିଥିବା ପାରିବାରିକ ସୂଚନା ଅନୁଯାୟୀ ଗୁରୁବାର ରାତିରେ ସ୍ବର୍ଗତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରେକେଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ପରେ ପରିସ୍ଥିତି ଅଣାୟତ୍ତ ହେବାରୁ କଂଟାବାଂଜି ଡାକ୍ତରଖାନାରୁ ଚିକିତ୍ସା ପରେ ରାତିରେ ପାଟଣାଗଡ ଡାକ୍ତରଖାନାକୁ ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଛି । ସ୍ୱର୍ଗତ ସାହୁ ୧୯୯୨ରୁ ୧୯୯୫ ମସିହାରେ ତୁରେକେଲା ବ୍ଲକର ଚେୟାରମେନ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଜଣେ ପୁରୁଖା ରାଜନୈତିକ ବ୍ୟକ୍ତି ହୋଇଥିବା ବେଳେ ତୁରକେଲା ବ୍ଲକ ଗଠନରେ ମୁଖ୍ୟ ଭୂମିକା ନେଇଥିଲେ । ଏପରିକି ଅଂଚଳର ସମାଜସେବୀ ଭାବେ ସେ ବେଶ୍‌ ପରିଚିତ ଥିଲେ । ତାଙ୍କ ବୋହୁ ପ୍ୟାରୀ ସାହୁ ମଧ୍ୟ ମହୁଲପାଟି ପଂଚାୟତର ସରପଂଚ ଭାବେ ପୂର୍ବରୁ ନିର୍ବାଚିତ ହୋଇଥିଲେ । ତାଙ୍କ ପାର୍ଥିବ ଶରୀରକୁ ଆଜି ନିଜ ଜନ୍ମମାଟି ମହୁଲପାଟି ଶ୍ମଶାନରେ ଦାହ କରାଯାଇଛି । ଏହି ଦାହ ବେଳେ ତାଙ୍କ ବଡ ପୁଅ କିଶୋର ସାହୁ, ସୁନୀଲ ସାହୁ, ହିଂମାଶୁ ସାହୁ ଓ ସଂଜୀବ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.