ଶ୍ରୀ ନୃସିଂହନାଥ ବୈଶାଖ ମେଳା ବିଶ୍ଵଶାନ୍ତି ମହାଯଜ୍ଞ ସହ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶରେ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହା ସମାରୋହରେ ଉଦ୍‌ଯାପିତ ପାଳିତ ହୋଇଯାଇଛି । ଏହି ମେଳା ମଇ ୧୨ରୁ ଆରମ୍ଭ ହୋଇ ଆଜି ୧୬ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି ।

ବିଶ୍ୱଶାନ୍ତି ମହାଯଜ୍ଞରେ କର୍ତ୍ତା ଭାବରେ ଖଣ୍ଡିଝରଣ ଗ୍ରାମର ଗୌନ୍ତିଆ ଚୁଡାମଣି ଭୁଏ ଓ ଧର୍ମପତ୍ନୀ ସନ୍ତୋଷିନୀ ଭୂଏ ଦାୟିତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପଣ୍ଡିତ ଭାବେ ଡିଗ୍ରୀଧର ଦେବତାଙ୍କ ସମେତ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାକାର୍ଯ୍ୟରେ ନିଯୋଜିତ ହୋଇ ବେଦମନ୍ତ୍ରରେ କମ୍ପୁଥିଲା ବିଶ୍ୱଶାନ୍ତି ମହାଯଜ୍ଞ । ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ପ୍ରଥମ ଦିନରେ ନୃସିଂହନାଥ ପାପନାଶିନୀ ଝରଣାରୁ ୧୦୮ ପୂର୍ଣ୍ଣ କଳସ ଆଣି ମଣ୍ତପରେ ସ୍ଥାପନ, ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ, ଦେବଦେବୀ ଆମନ୍ତ୍ରଣ ଓ ନୃସିଂହ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମୋତ୍ସବ, ମୁଖ୍ୟ ମନ୍ଦିର ଧ୍ୱଜା ବନ୍ଦନ, କନ୍ଦ ସମାଜ ଦ୍ବାରା ପିତା କନ୍ଦା ଭୋଗ ଅର୍ପଣ, ବିଶ୍ୱଶାନ୍ତି ମହାଯଜ୍ଞ ଚାରି ଦିନରେ ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ସହିତ ବିଶ୍ୱଶାନ୍ତ ମହାଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଥିଲା ।

ନୃସିଂହ ମହାପ୍ରଭୁଙ୍କ ଲୋକ ମାନଙ୍କର ଆଶକ୍ତି ପାଇଁ ଦୂର ଦୂରାନ୍ତରୁ ଭକ୍ତ ମାନେ ଆସି ମହାପ୍ରଭୁଙ୍କ ଜନ୍ମୋତ୍ସବକୁ ଦର୍ଶନ କରିଥାନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ବୈଶାଖ ମେଳା ଆୟୋଜନ ହୋଇ ପାରୁ ନଥିଲା । ଭକ୍ତ ମାନଙ୍କ ଆଶା ମଉଳି ଯାଇଥିଲା । ଚଳିତ ବର୍ଷ ବୈଶାଖ ମେଳା ଆୟୋଜନ ହେବା ଦ୍ବାରା ଭକ୍ତ ମାନଙ୍କର ପ୍ରବଳ ମାତ୍ରାରେ ଉତ୍ସାହ ଜାଗ୍ରତ ହେବା ସହ ଭକ୍ତଙ୍କ ସମାଗମରେ ନୃସିଂହନାଥ ପୀଠ ଉତ୍ସବ ମୁଖରିତ ହୋଇଥିଲା । ପାଇକମାଲ ବ୍ଲକ ସରପଞ୍ଚ ସଂଘ ତରଫରୁ ଜଳଛତ୍ର, କୁଲତା ଯୁବ ସଂଗଠନ ଦ୍ବାରା ଅନ୍ନଛତ୍ର ଓ ଜଳଛତ୍ର, ଭାଗବତ ତତ୍ତ୍ବ ଆଶ୍ରମ ତରଫରୁ ଅନ୍ନଛତ୍ର, ପାଇକମାଲ ଡ୍ରାଇଭର ସଂଘ ଅନ୍ନଛତ୍ର ବ୍ୟବସ୍ଥା କରାଯାଇ ଭକ୍ତମାନଙ୍କ ସୁବ୍ୟବସ୍ଥା କରାଯାଇଥିଲା ।

ମେଳାରେ ପାଇକମାଲ ଡା. ଶ୍ରୀଧର ସାହୁ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା ପାଇଁ ବ୍ୟବସ୍ଥା କରିଥିଲେ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ମାଝୀ ୨୪ ଘଣ୍ଟା ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ଅଗ୍ନିଶମ ବିଭାଗ, ପୋଲିସ ପ୍ରଶାସନ, ବିଭିନ୍ନ ସ୍ବେଛାସେବୀ ସଂଗଠନ, ମେଳା ପରିଚାଳନା କମିଟି, ବିଦ୍ୟୁତ ବିଭାଗ ଆଦି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ବୈଶାଖ ମେଳାରେ ଜିଲ୍ଲା ତଥା ରାଜ୍ୟର ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାବେଶ ପରିଲକ୍ଷିତ ହୋଇଥିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶୃଙ୍ଖଳାର ସହିତ ଓ ମେଳାର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ, ମେଳା କମିଟି ସଦସ୍ୟଙ୍କ ସମ୍ପାଦନ ସହ ସମାପନ ହୋଇଥିବାରୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

jittmm
Leave A Reply

Your email address will not be published.