ଗଞ୍ଜାମ ଜିଲ୍ଲାରେ ବନ୍ଦ କରାଯାଇଥିବା ସମସ୍ତ ସରକାରୀ ସ୍କୁଲଗୁଡିକ ଖୁବଶୀଘ୍ର ଖୋଲିବା ନିମନ୍ତେ ଦାବୀ

  • ନୂତନ ଶିକ୍ଷାନୀତି ଆଳରେ ଦାରିଦ୍ର୍ୟ ସୀମାରେଖା ତଳ ଶ୍ରେଣୀର ପିଲା ପାଠପଢ଼ାରୁ ବଞ୍ଚିତ
  • ଦାବୀ ପୂରଣ ନ ହେଲେ ଜନ ଆନ୍ଦୋଳନ ପାଇଁ ଚେତାବନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବନ୍ଦ ଓ ମିଶ୍ରଣନୀତି ବାତିଲ କରି ଅବିଳମ୍ବେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବୀରେ ରାଲି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବା ପରେ ପ୍ରଶାସନର ଆଶୁ ପ୍ରତିଶ୍ରୁତି ପରେ ବି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନୀରବଦ୍ରଷ୍ଟା ସାଜିବା ଖୁବ ଅସନ୍ତୋଷ ର କାରଣ ହୋଇଛି ।ସର୍ଵଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠନ ( ଏ.ଆଇ.ଡ଼ି.ଏସ୍‌.ଓ ) ର ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିଶାନ ସାହୁ, କାମରାଜୁ ସାହୁ, ଶୁଭସ୍ମିତା ପାଣିଗ୍ରାହି, ଅଲିଭା ଦାଶ୍ ପ୍ରମୁଖ ଡ଼ିଏସିଓ ସଂଗଠନର କର୍ମକର୍ତ୍ତା ଏବଂ ପ୍ରଫୁଲ୍ଲ ସେଠୀ, ରବି ସେଠୀ, ଦୁର୍ଯ୍ୟୋଧନ ସେଠୀ, ପ୍ରକାଶ ପାତ୍ର, କିରଣ ନାହାକ, ଅରୁଣ ନାହାକ, ମୋହନ ନାହାକ, ବିଷ୍ଣୁ ପ୍ରସାଦ ମହାରଣା, ପ୍ରତାପ ଗୌଡ଼, ପିଣ୍ଟୁ ଗୌଡ଼ ସମେତ ବହୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ଏହି ଦାବୀ ଯଥାଶୀଘ୍ର ପୂରଣ ନ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଆବିଳମ୍ୱେ ଖୋଲିବା ଦାବୀରେ ଦିଗପହଣ୍ଡି ବ୍ଲକର ନୂଆଁ ଘନସିଂ, ଗୋବରବାଲସା ଏବଂ ବିଜୟନଗର ଗଡ଼, ପୁରୁଷୋତ୍ତମପୁର ବ୍ଲକର ଢ଼େପଅନ୍ତରିଗାଁ, ଶେରରଗଡ଼ ବ୍ଲକର କମଳାଦେଇପୁର ଆଦି ଗ୍ରାମରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଆବିଳମ୍ୱେ ଖୋଲିବା ଦାବୀରେ ଏକ ରାଲି ଛତ୍ରପୁର ଅପର ବସଷ୍ଟାଣ୍ଡଠାରୁ ଜିଲ୍ଲାପାଳଙ୍କ ବାସଭବନ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହେବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସନ୍ଧ୍ୟା ୭ଘଣ୍ଟା ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଶହଶହ ଗ୍ରାମବାସୀ ବୃନ୍ଦ ଗଣଧାରଣରେ ବସିଥିଲେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବନ୍ଦ କରିବା ୨୦୧୯-୨୦୨୦ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା । ତନ୍ମଧ୍ୟରୁ ଦିଗପହଣ୍ଡି ବ୍ଲକର ନୂଆଁ ଘନସିଂ, ଗୋବରବାଲସା ଏବଂ ବିଜୟନଗରଗଡ, ପୁରୁଷୋତ୍ତମପୁର ବ୍ଲକର ଢ଼େପଅନୁରି ଗାଁ, ଶେରଗଡ଼ ବ୍ଲକର କମଳାଦେଇପୁର ଆଦି ଗ୍ରାମମାନଙ୍କର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ, କମ ଛାତ୍ରଛାତ୍ରୀ ଥିବା ଆଳ ଦେଖାଇ ନିକଟବର୍ତ୍ତୀ ସ୍କୁଲ ଯାହାର ଦୂରତ୍ଵ ପ୍ରାୟ ୧ କି.ମି. ରୁ ଉର୍ଦ୍ଧ୍ଵ ସହ ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଠାରେ ଆମେ ଉଲ୍ଲେଖ କରିବାକୁ ଚାହୁଁ ଯେ, ଉପରଲିଖିତ ପ୍ରତ୍ୟେକ ଗ୍ରାମରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ପଢିବା ପାଇଁ ପ୍ରସ୍ତୁତ ଅଛନ୍ତି ଛାତ୍ରଛାତ୍ରୀଙ୍କ ସଂଖ୍ୟାର ସମ୍ପୂର୍ଣ୍ଣ ବିବରଣୀ ବି.ଇ.ଓ ଏବଂ ବି.ଡି.ଓଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶିକ୍ଷାମନ୍ତ୍ରୀ, ଜିଲ୍ଲା ଶିକ୍ଷାଧିକାରୀ, ଡି.ଇ.ଓ, ଗୋଷ୍ଠୀ ଶିକ୍ଷାଧିକାରୀ, (ବି.ଇ.ଓ) ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ( ବି.ଡି.ଓ)ଙ୍କ ଜରିଆରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହା ସମ୍ପର୍କରେ ଅବଗତ ମଧ୍ୟ କରାଯିବା ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ପ୍ରାଥମିକ ବିଦ୍ୟାଳୟମାନଙ୍କର କୁନି କୁନି କୋମଳମତି ଶିଶୁମାନଙ୍କୁ ମିଶ୍ରଣ ହୋଇଥିବା ବିଦ୍ୟାଳୟକୁ ଯିବାକୁ ହେଲେ ମୁଖ୍ୟ ସଡ଼କ ପାର କରି ପ୍ରାୟ ୧ କି.ମି.ରୁ ୩ କିମି ପର୍ଯ୍ୟନ୍ତ ଦୂର ଯିବାକୁ ହେବ, ଯାହା ସମ୍ଭବ ନୁହଁ କାରଣ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏଣୁ ଗ୍ରାମବାସୀ ବୃନ୍ଦ ଭୟଭୀତ ଏବଂ ଗ୍ରାମର ଅଧିକାଂଶ ଅଭିଭାବକ ଗରିବ, ଦିନମଜୁରୀଆ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ପିଲାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରିବା ସମ୍ଭବପର ନୁହେଁ । ସରକାର କ୍ଲୋଜର ଏବଂ ମର୍ଜର (ବନ୍ଦ ଏବଂ ମିଶ୍ରଣ) ନୀତି ଅବଲମ୍ବନ କରି ରାଜ୍ୟର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡ଼ି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି । ଅଳ୍ପ ପିଲା ହେବାର କାରଣ ଦର୍ଶାଇ ସରକାର ଯେଉଁ ସ୍କୁଲ ବନ୍ଦର ନିଷ୍ପତ୍ତ ନେଉଛନ୍ତି ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି । ସରକାର ସରକାରୀ ସ୍କୁଲଗୁଡିକର ଭିତ୍ତି ଭୂମିର ବିକାଶ କରିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ “ଶିରୋନାସ୍ତି ଶିର ପୀଡ଼ା ନ୍ୟାୟରେ ୧୪୩୭୯ସ୍କୁଲ ବନ୍ଦର ନିଷ୍ପତ୍ତି ନେବା ରାଜ୍ୟ ସରକାରଙ୍କ ଶିକ୍ଷା ବିରୋଧୀ, ଶିକ୍ଷା ଧ୍ବଂସକାରୀ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣର ହାର ସଂପୂର୍ଣ୍ଣ ଉନ୍ମୁକ୍ତ କରିବାର ନୀଳ ନକ୍ସା ଜାତୀୟ ଶିକ୍ଷା ନୀତି-୨୦୨୦ର ପରିପୂରକ । ଯେଉଁଥିରେ ଦେଶୀ ବିଦେଶୀ ପୁଞ୍ଜିପତି, ଶିକ୍ଷା ବେପାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସର୍ବନିମ୍ନ ତିନି ହଜାର ପିଲା ସଂଖ୍ୟା ବିଶିଷ୍ଟ ବଡ ବଡ ସ୍କୁଲ କଂପ୍ଲେକ୍ସର ପରିକଳ୍ପନା ରହିଛି । ବାସ୍ତବରେ ଏତେ ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହେଲେ ସାଧାରଣ ଗରୀବ ଘରର ପିଲାମାନଙ୍କ ପାଇଁ ସବୁଦିନ ଲାଗି ଶିକ୍ଷାର ଦ୍ୱାର ବନ୍ଦ ହୋଇଯିବ । ସେମାନେ ମୋଟା ଅଙ୍କର ଫିସ୍ ଦେଇ ଘରୋଇ ଶିକ୍ଷାନୁଷ୍ଠାନରେ ପଢି ପାରିବେ ନାହିଁ ଏବଂ ଏପରିକି ସରକାରୀ ସ୍କୁଲ ଅନୁପସ୍ଥିତି ଫଳରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ମନଇଚ୍ଛା ଫିସ୍ ଆଦାୟ କରିବେ । ତେଣୁ ଅବିଳମ୍ବେ ସରକାର ଉପର ଲିଖିତ ଗ୍ରାମଗୁଡ଼ିକର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବନ୍ଦ ଏବଂ ମିଶ୍ରଣ କରିବା ନିଷ୍ପତ୍ତି ବାତିଲ କରିବା ସହ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ଆବଶ୍ୟକ ସଂଖ୍ୟକ ଶିକ୍ଷକ ସ୍ଥାୟୀ ଭିତ୍ତିରେ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି, ଗଞ୍ଜାମ ଜିଲ୍ଲା ତରଫରୁ ଦୃଢ଼ ଦାବୀ କରାଯାଇଛି ।

Leave A Reply

Your email address will not be published.