ପୁଞ୍ଜିଲାଲଙ୍କ ସର୍ତମୂଳକ ଜାମିନ ମଂଜୁର ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗତକାଲି ସର୍ତମୂଳକ ଜାମିନ ମିଳିଛି । ପାଟଣାଗଡ଼ ଜେଲରୁ ଫେରାର ଘଟଣାରେ ତାଙ୍କୁ ପାଟଣାଗଡ଼ ଏସ୍ ଡିଜେଏମ୍‌ କୋର୍ଟରୁ ଜାମିନ କରାଯାଇଛି । ପ୍ରକାଶ ଯେ, ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ପୁଞ୍ଜିଲାଲ ମେହେର ପାଟଣାଗଡ଼ ଉପଖଣ୍ଡ ଜେଲ୍‌ରେ ଥିଲେ । ଗତ ୨୦୧୯ ମସିହା ଜାନୁଆରୀ ୨୪ ତାରିଖ ଜେଲ୍ ଭିତରେ ଖାଦ୍ୟକୁ ନେଇ ପୁଞ୍ଜିଲାଲ ବିଦ୍ରୋହ କରି କେତେକ ଡ଼କାୟତଙ୍କ ସହ ଫେରାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ ଜେଲର ୱାଡର ପଞ୍ଚାନନ ଭୋଇ ତାଙ୍କୁ ଦେଖିଥିଲେ । ଏ ସଂକ୍ରାନ୍ତରେ ଜେଲ୍ ସୁପରିଟେଣ୍ଡେଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଭୋଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ପୋଲିସର ତଦନ୍ତରୁ ଏ ଘଟଣାରେ ୧୮ ଜଣ ସାକ୍ଷୀ ଥିବା ଜଣାପଡିଥିଲା । ଏହାପରେ ପୁଞ୍ଜିଲାଲକୁ ପାଟଣାଗଡ଼ ଜେଲରୁ ଜିଲ୍ଲା ମୁଖ୍ୟ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା ‌। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଜାମିନ ହାଇକୋର୍ଟ ଦେଇଥିଲେ । ପୁଞ୍ଜିଲାଲ ତରଫରୁ ତାଙ୍କ ଓକିଲ ଭାବରେ ଦର୍ପଗଞ୍ଜନ ପଟ୍ଟନାୟକ ଜାମିନ ପାଇଁ ଆବେଦନ କରିଥିଲେ । ଏସ୍‌ଡିଜେଏମ୍‌ ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି କରି ତାକୁ ସର୍ତ୍ତମୂଳକ ଜାମିନ ଦେବା ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.