
ବରଗଡ, (ନିରୋଜ କୁମାର ପାଣୀ) : ଫରେଷ୍ଟରଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖିବାକୁ ସୁଯୋଗ ଦେଲେ ନାହିଁ ବରଗଡ଼ ଡିଏଫ୍ଓ ବୋଲି ଅଭିଯୋଗ ହୋଇଛି । ଜଣେ ଭାଇ ଆଇସିୟୁରେ ଭର୍ତ୍ତି ହୋଇ ଜୀବନର ଶେଷ ଲଢେ଼ଇ ଲଢ଼ୁଥିବା ଭଉଣୀକୁ ଜୀବିତ ଅବସ୍ଥାରେ ଦେଖିବା ସ୍ୱପ୍ନ ପାଲଟିଗଲା । ଚାକିରିରେ ବନ୍ଧା ଜୀବନ ତଥା ନିର୍ଦ୍ଦୟୀ ଉପରିସ୍ଥ ଅଧିକାରୀ ପାଇଁ ଭାଙ୍ଗିଗଲା ଜଣେ ଭାଇର ହୃଦୟ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଆମ୍ବାଭୋନାଠାରେ କାର୍ଯ୍ୟରତ ଫରେଷ୍ଟର ପ୍ରୟାଗ ପଧାନଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖା କରିବାକୁ ଅନୁମତି ଦେଲେ ନାହିଁ ବରଗଡ଼ ଡିଏଫ୍ଓ ବୋଲି ଅଭିଯୋଗ ହୋଇଛି । ପ୍ରୟାଗଙ୍କ ଭଉଣୀ ଭୁବନେଶ୍ବର ସ୍ଥିତ ଏମ୍ସ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ତାଙ୍କୁ ଜୀବନ୍ତ ଅବସ୍ଥାରେ ଦେଖିବା ପାଇଁ ସେ ବରଗଡ଼ ଡି.ଏଫ୍.ଓଙ୍କୁ ଅନେକ କାକୁତି ମିନତୀ କଲେ ହେଲେ କ୍ଷମତାର ଗର୍ବ ଅହଂକାରରେ ପରିପୂର୍ଣ୍ଣ ଥିବା ନିର୍ଦ୍ଦୟୀ ବାବୁଙ୍କ ମନ ତରଲିଲା ନାହିଁ । ଦୁଇଦିନ ଛୁଟି ମଞ୍ଜୁର କଲେ ନାହିଁ ଉକ୍ତ ବାବୁ, ଶେଷରେ ଆଖି ବୁଜିଦେଲେ ପ୍ରୟାଗଙ୍କ ଭଉଣୀ । ଏହି ଘଟଣା ଘଟିବା ପରେ ଭାଙ୍ଗିପଡିଛନ୍ତି ଫରେଷ୍ଟର ପ୍ରୟାଗ । ହତାଶ ହୃଦୟରେ ନିଜ ବେଦନାକୁ ଫେସବୁକ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ । ଯାହାକୁ ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡ଼ୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ହିଟଲରରୁ ବଳି ଯାଇଛି ବରଗଡ଼ ଡିଏଫ୍ଓଙ୍କ କୃରତା ।

