ଖପ୍ରାଖୋଲ ପଞ୍ଚାୟତ ସମିତି ବୈଠକ : ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଉଦ୍‌ବେଗ

  • ଅଫିସରେ ନ ବସି ଫିଲ୍ଡକୁ ଯାଇ ଲୋକ ସମସ୍ୟା ବୁଝ ବୋଲି ଅଧିକାରୀଙ୍କୁ ତାଗିଦ୍ କଲେ : ବିଧାୟକ ସରୋଜ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଖପ୍ରାଖୋଲ ବ୍ଲକ ସଭାଗୃହଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ସୁଖରାମ ଷାଣ୍ଢ, ଜୋନ ନଂ.୩ ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ମେହେର, ଜୋନ ନଂ.୪ ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା ପାଥର, ସାଂସଦ ପ୍ରତିନିଧି ପ୍ରବିଣ ଅଗ୍ରୱାଲ, ସହକାରୀ ନିର୍ବାହୀଯନ୍ତ୍ରୀ ସୌମ୍ୟକିଶୋର ଜୟପୁରିଆ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ ବୈଠକ ଆରମ୍ଭରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ, ନବନିର୍ବାଚିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟଙ୍କୁ ସ୍ଵାଗତ ଜଣାଇଥିଲେ । ଉପସ୍ଥିତ ସଦସ୍ୟମାନେ ନିଜ ନିଜର ପରିଚୟ ପ୍ରଦାନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଖପ୍ରାଖୋଲ ବ୍ଲକ ବଳରେ ୫୦ ପ୍ରତିଶତ ନଳକୂପ ଅଚଳ ହୋଇପଡିଛି । ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ପାନୀୟ ଜଳ ସଂକଟ ଦେଖାଦେଇଥିବା ବେଳେ ଅଞ୍ଚଳବାସୀ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଥିବା ନେଇ ଉପସ୍ଥିତ ସଦସ୍ୟମାନେ ବୈଠକରେ ଅଭିଯୋଗ କରିଥିଲେ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ବେଳେ ଜନସାଧାରଣ ଅତିଷ୍ଠ ହୋଇପଡ଼ୁଥିବା ନେଇ ସଦସ୍ୟ ମାନେ ଅଭିଯୋଗ କରିଥିଲେ । ଏପରିକି ବୈଠକ ଚାଲିଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଜନପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଉପସ୍ଥିତ ସଦସ୍ୟମାନଙ୍କ ଅଭିଯୋଗ ପରେ ବିଧାୟକ ସରୋଜ ମେହେର ଆର୍‌ଡବ୍ଲଏସ୍ଏସ୍ ଏବଂ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଏନେଇ ସ୍ପଷ୍ଟିକରଣ ରଖିବାକୁ କହିଥିଲେ । ବିଧାୟକ ପାନୀୟଜଳ ସଂକଟ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଦୁରତ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ଅଫିସ୍‌ରେ ନବସି ଫିଲ୍ମକୁ ଯାଇ ଜନସାଧାରଣଙ୍କ ପଢିଯୋଗକୁ ଶୁଣିବା ସହିତ ସମସ୍ୟାର ସମାଧାନ କରିବାକୁ ଆଇଡବ୍ଲ୍ୟୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ସରିତାଙ୍କୁ ତାଗିଦ କରିଥିଲେ । ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ବିଦ୍ୟୁତ କାଟ ଏବଂ ବିଲ ସଂଗ୍ରହ ନେଇ ବିଧାୟକ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ବିଦ୍ୟୁତ କାଟ ନକରିବା ନେଇ ବିଭାଗୀୟ ଅଧିବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖପ୍ରାଖୋଲ ମେଡିକାଲ ଅଫିସର ଡଃ.ସୁରଜ ଦୀପ, ବ୍ଲକ ପ୍ରାଣୀଧନ ଚିକିତ୍ସକ ଡଃ.ସୁଜିତ ଶତପଥୀ, ବ୍ଲକ କୃଷି ଅଧିକାରୀ ଡମ୍ୱରୁଧର ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନିକେତନ ବରିହା, ହରିଶଙ୍କର ବନାଚଳ ଅଧିକାରୀ ଗିରିଧାରି ନାଗ, ସିଡିପିଓ ସୁଜାତା ଦୋରା, ଆରଡବ୍ଲ୍ୟୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ବିନୟ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧୁକାରୀ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା, ଶିଶୁ ବିଭାଗ, କୃଷି, ଉଦ୍ୟାନ ବିଭାଗ, ଜଙ୍ଗଳ ପରିବେଶ ଆଦି ବିଭାଗ ବିଷୟରେ ଆଲୋଚନା କରାଯାଇଥିଲା । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୧୨ ଜଣ ଡାକ୍ତର ରହିବା ସ୍ଥାନରେ ୬ ଜଣ ଡାକ୍ତର ରହିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଏହି ବ୍ଲକ ଅଧିନରେ ଥିବା ୧୮୦ଟି ବିଦ୍ୟାଳୟରେ ୯୬ ଜଣ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ତାହାକୁ ପୂରଣ କରିବା ପାଇଁ ଦାବୀ ହୋଇଥିଲା । ହରିଶଙ୍କର ଠାରେ ସାଧାରଣ ଲୋକଙ୍କ ରହିବା ପାଇଁ ଧର୍ମଶାଳା ନଥିବାରୁ ଏଠାରେ ଥିବା ଯାତ୍ରୀନିବାସକୁ ଆସନ୍ତା ହରିଶଙ୍କର ମହୋତ୍ସବ ପୂର୍ବରୁ ତୁରନ୍ତ ମରାମତି କରାଯାଇ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବୀ ହୋଇଥିଲା । ଚଙ୍ଗରିଆ ସରପଞ୍ଚ ସୁଶୀଲ ଗୁରୁ, ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ଘୁନସର ସରପଞ୍ଚ ଅନୁସୟା ସାହୁ, ପଡିଆବାହାଲ ସରପଞ୍ଚ ଦେବରାଜ ପଧାନ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ, ସହଜପାଣି ସରପଞ୍ଚ ପ୍ରଫୁଲ୍ଲ ମାଝୀ, ସହଜପାଣି ସମିତି ସଭ୍ୟ ଉପେନ୍ଦ୍ର ଭୋଇ, ନାନ୍ଦୁପଲା ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ, ଘୁନସର ସମିତି ସଭ୍ୟା ଘନକେଶୀ ସୁନା ପ୍ରମୁଖ ବୈଠକରେ ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିପିଇଓ ସୁଶାନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!