ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ ଦୋକାନୀଙ୍କଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଗତକାଲି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଓ ପୋଲିସର ସହଯୋଗରେ ସହରର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀଙ୍କଠାରୁ ଫାଇନ ଆଦାୟ କରାଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ ସହର ମୁଖ୍ୟ ରାସ୍ତାରେ ଗାଡ଼ି ମଟର ଭିଡ଼ି ବେଳେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ସମାଧାନ ପାଇଁ ଗତକାଲି ପାଟଣାଗଡ଼ ଏନ୍‌ଏସି ପକ୍ଷରୁ ରାସ୍ତା କଡ଼ର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇ ରାସ୍ତା କଡ଼ର ଜବରଦଖଲ ଦୋକାନୀଙ୍କଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଏନ୍‌ଏସି କାର୍ଯ୍ୟନିର୍ବାହ ଅଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି । ଏଥିରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସହ ଏନ୍‌ଏସିର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave A Reply

Your email address will not be published.