
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପ୍ରଥମ ବର୍ଷ ଏମ୍ବିବିଏସ୍ ମେଡ଼ିକାଲ ଛାତ୍ର ଇଶାନ୍ତ କୁମାର ହଷ୍ଟେଲର ୫ମ ମହଳାରୁ ଆଜି ଦିନ ଅଢେଇ ଟାରୁ ୩ଟା ସମୟ ମଧ୍ୟରେ କିପରି ଖସିପଡି ମୃତ୍ୟୁବରଣ କଲେ ସେ ନେଇ ସନ୍ଦେହ ଜାତ ହୋଇଛି । ଇଶାନ୍ତ କୁମାର ହରିୟାଣା ନିବାସୀ । ସେ ପ୍ରାୟ ୧୦ ଦିନ ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ହଷ୍ଟେଲକୁ ଆସି ରହିଥିଲେ । ତେବେ ତାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ଯଦି ସେ ୫ମ ମହଲା ଉପରୁ ଖସି ପଡିଲେ ତାହା ହେଲେ ତାଙ୍କ ଶରୀର କିମ୍ବା ମୁଣ୍ଡର କୌଣସି ସ୍ଥାନରେ ଆଘାତ ନ ଥିବା ବେଳେ ଦେହର କୌଣସି ସ୍ଥାନରେ କିଛି କ୍ଷତ ଚିହ୍ନ ନଥିବା ନେଇ ଆଲୋଚନା ଜୋର ଧରୁଛି । ଘଟଣା ପଛରେ କଣ କାରଣ ଥାଇପାରେ, କିଏ ଉପରୁ ଠେଲିଦେଲା ନା ରେଗିଂ ନା କିଛି ଗଣ୍ଡଗୋଳ ହୋଇଥାଇ ପାରେ ବୋଲି ସନ୍ଦେହ ଜାତ ହେଉଛି । ଏହା ହତ୍ୟା ନା ଆତ୍ମହତ୍ୟା ଏହାର ପ୍ରକୃତ କାରଣ ପୋଲିସ ତଦନ୍ତ କଲା ପରେ ଲୋକ ଲୋଚନକୁ ଆସିବ ବୋଲି ଆଲୋଚନା ହେଉଛି ।